ଦୁଲୁକୁଛି ମୁକ୍ତାକାଶ ରଙ୍ଗମଞ୍ଚ: ଧନୁଯାତ୍ରାର ତୃତୀୟ ଦିନରେ ନନ୍ଦ ରାଜାଙ୍କ ଘରେ ଉତ୍ସବର ମାହୋଲ

110

କନକ ବ୍ୟୁରୋ: ତ୍ରିପୁରାରୀ ବିଜୟ ମହାରାଜ କଂସ । ଭଉଣୀ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ, ମୃତ୍ୟୁର କାରଣ ଜାଣିବା ପରେ ଅଷ୍ଟମ ସନ୍ତାନକୁ ହତ୍ୟା କରିବାକୁ ମନସ୍ଥ କରିଛନ୍ତି । ଗୋଟିଏ ପରେ ଗୋଟିଏ ସନ୍ତାନକୁ ହରାଇ ଦେବକୀଙ୍କ ମାତୃ ହୃଦୟ ବିଳପି ଉଠିଛି । ଦେବକୀ ଓ ବସୁଦେବ ଯେତେ ଅନୁରୋଧ କଲେ ମଧ୍ୟ କଂସ କିଛି ଶୁଣି ନାହିଁ ।

ଦେବକୀ ଓ ବସୁଦେବଙ୍କ ଅନୁରୋଧକୁ କର୍ଣ୍ଣପାତ କରିନାହିଁ କଂସ । ଦେବକୀ କୋଳରୁ ସନ୍ତାନକୁ ଛଡାଇ ନେଇଛି । ହେଲେ ପୁଅ ବଦଳରେ ଝିଅକୁ ଦେଖି ଅଟ୍ଟହାସ୍ୟ କରିଛନ୍ତି ମଥୁରା ନରେଶ । ଆଉ ଅଷ୍ଟମ ଗର୍ଭର ସନ୍ତାନକୁ ଶିଳାରେ କଚାଡି ହତ୍ୟା କରିବା ବେଳେ ଚମକ୍ରାର ଘଟିଛି ।

ତୋତେ ମାରିବ ଯିଏ ଗୋପପୁରରେ ବଢୁଛି ସିଏ । ବିଜୁଳି କନ୍ୟାଙ୍କ ଏହି ବାଣୀ କଂସର ମନ ମସ୍ତିସ୍କକୁ ଗୋଳମାଳ କରିଦେଇଛି । ଗୋପପୁରରେ ବଢୁଥିବା ଶ୍ରୀକୃଷ୍ଣଙ୍କୁ ହତ୍ୟା ନକଲେ ତା ମୃତ୍ୟୁ ସୁନିଶ୍ଚିତ ଜାଣି ମହାରାଜ ବିଚଳିତ ହୋଇପଡିଛନ୍ତି ।

ମୁକ୍ତାକାଶ ରଂଗମଂଚର ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କ ମନକୁ ଜିଣିନେଇଛି । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ହେଉଥିବା ଧନୁଯାତ୍ରାକୁ ଲୋକେ ମନଭରି ଉପଭୋଗ କରୁଛନ୍ତି ।ଗୋପପୁରରେ କୃଷ୍ଣ, ବଳରାମ ବେନିଭାଇ ବଢୁଥିବା ଖବର ଜାଣିବା ପରେ ଚିନ୍ତାରେ ପଡିଛନ୍ତି ମଥୁରା ମହାରାଜ । ବେନି ଭାଇଙ୍କୁ ହତ୍ୟା କରିବା ପାଇଁ ପୁତନା, ଷଣ୍ଢାସୁର, ବକାସୁରକୁ ମହାରାଜ କଂସ ଗୋପପୁର ପଠାଇଛନ୍ତି ।

ସେପଟେ ଗୋପପୁରରେ ଶ୍ରୀକୃଷ୍ଣ, ବଳରାମଙ୍କ ଜନ୍ମ ପରେ ଧୁମଧାମରେ ନନ୍ଦ ଉତ୍ସବର ଆୟୋଜନ କରିଛନ୍ତି ନନ୍ଦ ମହାରାଜ । ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖି ନିଜକୁ ଧନ୍ୟ ମନେ କରିଛନ୍ତି ଗୋପପୁରବାସୀ ।