ଜୋର ଧରିଲା ଓମଫେଡ ବିରୋଧୀ ପ୍ରତିବାଦ : ଭୁବନେଶ୍ୱର ଲୋୟର ପିଏମଜିରେ କ୍ଷୀର ଢାଳିଲେ ଚାଷୀ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୋର ଧରିଲା ଓମଫେଡ ବିରୋଧୀ ପ୍ରତିବାଦ । ପୁଣି ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କଲେ ଚାଷୀ । ହେଲେ ସାଧାରଣ ଲୋକେ ଏଭଳି ରାସ୍ତାରେ କ୍ଷୀର ଢାଳିବାକୁ ବିରୋଧ କରିବାରୁ ମାଗଣାରେ କ୍ଷୀର ବାଂଟିଛନ୍ତି ଆନ୍ଦୋଳନକାରୀ । ଦୁଇଦିନ ତଳେ ବରଗଡରେ ହଜାର ହଜାର ଲିଟର କ୍ଷୀର ରାଜ ରାସ୍ତାରେ ଢାଳି ଦେଇଥିଲେ ଦୁଗ୍ଧ ଚାଷୀ । ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଓଡିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତି ପକ୍ଷରୁ ପୁଣି ଏଭଳି  ଆନ୍ଦୋଳନ କରାଯାଇଛି । ଓଡିଶା ମିଲ୍କ ଫେଡେରେସନର ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରିଆସୁଛନ୍ତି ରାଜ୍ୟବ୍ୟାପୀ ଦୁଗ୍ଧ ଚାଷୀ । ୨୦୧୪ ସାଧାରଣ ନିର୍ବାଚନ ପରେ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ପ୍ରୋତ୍ସାହନ ରାଶି ଦେବାପାଇଁ ଘୋଷଣା ହୋଇଥିଲା । ତାହା କାର୍ଯ୍ୟକାରୀ ହେଉନାହିଁ । ଏପଟେ ବିଭିନ୍ନ ଆଳକରି ଚାଷୀଙ୍କଠାରୁ କ୍ଷୀର ନେଉନାହିଁ ଓମଫେଡ । ପ୍ଲାଂଟର କ୍ଷମତାଠାରୁ ଅଧିକ କ୍ଷୀର ଉତ୍ପାଦନ ହେଉଥିବା ଦର୍ଶାଇ ବଳକା କ୍ଷୀର ଫେରାଇ ଦିଆଯାଉଛି । ଏହାର ପ୍ରତିବାଦ କରିଆସୁଛନ୍ତି ଦୁଗ୍ଧ ଚାଷୀ ସଂଘଗୁଡିକ । ଏପଟେ ଓମଫେଡ ର ପରିଚାଳନା ନିର୍ଦେଶକଙ୍କୁ ପରିବର୍ତନ କରାଯାଇଛି । ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢୀଙ୍କୁ ଓମଫେଡ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେଣୁ ଫେଡେରେସନ ଓ ଦୁଗ୍ଧ ଚାଷୀଙ୍କ ଭିତରେ ଦେଖାଦେଇଥିବା ବିବାଦର ସମାଧାନା ତାଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା କରାଯାଉଛି ।