ଆବାସ ଯୋଜନାର ସତ: ବୟସର ଅପରାହ୍ନରେ ଘର ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି ସୁନ୍ଦରଗଡ଼ର ହୀରାବତି

60

କନକ ବ୍ୟୁରୋ: ଆବାସ ଯୋଜନାର ସତ । ଭଲ ଭାବେ ଦେଖନ୍ତୁ ଏହି ବୃଦ୍ଧାଙ୍କୁ । ବୟସ ପାଖାପାଖି ୮୦ ହେଲାଣି । ଚାଲିବାକୁ ମଧ୍ୟ ଦେହରେ ଆଉ ବଳ ନାହିଁ । ପୁଅ ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡ଼େ ଗଲା ଯେ ତା’ର ପତା ମଧ୍ୟ ନାହିଁ । ଝିଅକୁ ବାହାଦେବା ପରେ ଏକାକି ଜୀବନ ବିତାଉଛନ୍ତି ସୁନ୍ଦରଗଡ଼ କିରେଇ ଗାଁର ହୀରାବତୀ ଗର୍ଡିଆ । ବାରମ୍ବାର ଘର ଖଣ୍ଡିଏ ପାଇଁ ପଂଚାୟତରେ ଆବେଦନ କରୁଛନ୍ତି । ହେଲେ ଆବାସ ତାଲିକାରେ ତାଙ୍କର ନାଁ ଆସୁନାହିଁ । ସମ୍ପର୍କୀୟଙ୍କ ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ହୀରାବତୀ । ଘର ଖଣ୍ଡିଏ ନଥିବାରୁ କେତେ ଅସୁବିଧା ଭୋଗୁଛନ୍ତି ଏହି ମହିଳା ଜଣକ । କିରେଇ ପଂଚାୟତରେ ୨୦ରୁ ଉଦ୍ଧ୍ୱର୍ ଯୋଗ୍ୟ ହିତାଧିକାରୀ ଅଛନ୍ତି । ପ୍ରତିବର୍ଷ ତାଲିକାରେ ନାଁ ବାହାରିବା ନେଇ ଅପେକ୍ଷା କରନ୍ତି । ହେଲେ ତାଲିକା ବାହାରିବା ବେଳକୁ ଏମାନଙ୍କ ନାଁ ନଥାଏ ।

ସେହିପରି ଆଉ ଜଣେ ମହିଳା ହେଉଛନ୍ତି ସେହି କିରେଇ ଗାଁର ସୁରେଖା ସିଂ । ସ୍ୱାମୀ ପରକରିଦେବା ପରେ ବାପଘରେ ବି ରହିବାକୁ ସ୍ଥାନ ମିଳିଲାନି । ନିଜର ଜାଗାଥାଇ ମଧ୍ୟ ଘରଟିଏ ନଥିବାରୁ ଭଡ଼ାରେ ରହୁଛନ୍ତି ସୁରେଖା । ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରୁଛନ୍ତି । ହେଲେ ତାଲିକାରେ ନାଁ ନଆସିବାରୁ କ୍ୟାମେରା ସାମ୍ନାରେ ତାଙ୍କ ଦୁଃଖ ବଖାଣିଛନ୍ତି ।

ଗରିବ ହିତାଧିକାରୀଙ୍କ ପାଇଁ ଘର ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସବୁଠି ଯୋଜନା ରହିଛି । କିନ୍ତୁ ଘର ଖଣ୍ଡିଏ ପାଇବା ପାଇଁ ଗ୍ରାମଂଚଳ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।