ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପ୍ରଶ୍ନପତ୍ର ବିଭ୍ରାଟ: ରବିବାର ପରୀକ୍ଷା, ସୋମବାର ବାତିଲ

726

କନକ ବ୍ୟୁରୋ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଂଟାଂଟ ପଦବୀ ପାଇଁ ହୋଇଥିବା ପରୀକ୍ଷାକୁ ବାତିଲ୍ କରାଯାଇଛି । ଯେଉଁ କାରଣ ପାଇଁ ଏହି ପରୀକ୍ଷାକୁ ବାତିଲ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ତାହା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ପରୀକ୍ଷା କେତେ ଖାମଖିଆଲି ଭାବେ କରାଯାଉଛି, ତାହା ପଦାରେ ପଡିଯାଇଛି । ପ୍ରଶ୍ନପତ୍ରରେ ଏପରି ତ୍ରୁଟି ବୋଧହୁଏ, କେହି କେବେ ଦେଖିନଥିବେ । ଏଭଳି ବେପରୁଆ ଭାବେ ପରୀକ୍ଷା କରି ପିଲାଙ୍କ ଭାଗ୍ୟ ସହ ଖେଳି ପାରନ୍ତି କର୍ତୃପକ୍ଷ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପରୀକ୍ଷା ପ୍ରଶ୍ନରେ ଗୋଟିଏ କି ଦୁଇଟି ନୁହଁ ଆମୁଳଚୁଳ ଭୁଲ୍ ରହିଥିଲା । ପ୍ରଶ୍ନପତ୍ରର ଅକ୍ଷରଗୁଡିକ କେବଳ ଓଡ଼ିଆରେ ଥିଲା, କିନ୍ତୁ ଗୋଟିଏ ଶବ୍ଦ ଠିକ୍ ନଥିଲା । ଓଡ଼ିଶାରେ ପରୀକ୍ଷା ହେବ, ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ସେଥିରେ ପୁଣି ଏପରି ତ୍ରୁଟି ହେବ, ତାକୁ କେହି ଗ୍ରହଣ କରିପାରିନଥିଲେ ।

ଗତ ଡିସେମ୍ବର ମାସରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗ୍ରୁପ୍ ବି ଆକାଉଂଟାଂଟ ପଦବୀ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ୬୫ ପଦ ପାଇଁ ପ୍ରିମିଲିନାରୀ ପରୀକ୍ଷା କରିବାକୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପେ’ ସ୍କେଲ ରହିଛି ୩୫ ହଜାର ୪୦୦ ଟଙ୍କାରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା । ଏପରି ଏକ ଲୋଭନୀୟ ପଦବୀ ପାଇଁ ଚାକିରି ଆଶାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଖେଳି ଯାଇଥିଲା ।

ପରୀକ୍ଷାର୍ଥୀମାନେ ଓଡ଼ିଆ ଭାଷାରେ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ଦେଖି ତାଜୁବ ହୋଇ ଯାଇଥିଲେ । ଦିନରାତି ପରିଶ୍ରମ କରି ସରକାରୀ ଚାକିରି ପାଇବା ପାଇଁ ସ୍ୱପ୍ନ ଦେଖୁଥିବା ଶହ ଶହ ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର ପଢ଼ିବା ପରେ ହୋସ ଉଡିଯାଇଥିଲା । ପରୀକ୍ଷା ହଲରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ଶେଷରେ କାନମୁଣ୍ଡା ଆଉଁସି ଫେରିଥିଲେ ପରୀକ୍ଷାର୍ଥୀ ।

କନକ ନ୍ୟୁଜ ଏପରି ତ୍ରୁଟିକୁ ଲୋକଲୋଚନକୁ ଆଣିବା ପରେ ହଇଚଇ ଖେଳି ଯାଇଥିଲା । ଏ ନେଇ ଷ୍ଟାଫ୍ ସିଲେକ୍ସନ କମିସନର ଅଧ୍ୟକ୍ଷ କୌଣସି ପ୍ରତିକ୍ରିୟା ନଦେଇ ଗଣମାଧ୍ୟମକୁ ଏଡାଇ ଚାଲି ଯାଇଥିଲେ । ତେବେ ପ୍ରବଳ ପ୍ରତିକ୍ରିୟା ପରେ ଶେଷରେ ପରୀକ୍ଷାକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି କର୍ତୃପକ୍ଷ । ହେଲେ ଯେଉଁ ତ୍ରୁଟି ହୋଇଛି, ସେଥିପାଇଁ କିଏ ଦାୟୀ ରହିବ, ତାହା ଏବେ ବଡ଼ ପ୍ରଶ୍ନ । ପରୀକ୍ଷାକୁ ବାତିଲ ତ କରାଗଲା, କିନ୍ତୁ ପରୀକ୍ଷାର୍ଥୀଙ୍କ ପାଇଁ ଯେଉଁ ସମସ୍ୟା ସୃଷ୍ଟି ହେଲା, ତା’ର ଭରଣା କିଏ କରିବ?

ନଜର ପକାନ୍ତୁ ସାଧାରଣରେ ଉଠୁଥିବା କିଛି ପ୍ରଶ୍ନ ଉପରେ –
କାହିଁକି ହେଲା ତ୍ରୁଟି?
ପରୀକ୍ଷା ପ୍ରଶ୍ନ କିପରି ତିଆରି କରେ ଷ୍ଟାଫ୍ ସିଲେକ୍ସନ କମିସନ?
ପ୍ରଶ୍ନପତ୍ର ହେବା ପରେ ଯାଂଚ କରାଯାଏ ନାହିଁ କି?
ଶୁଦ୍ଧ ଓଡ଼ିଆରେ ପ୍ରଶ୍ନପତ୍ର ଲେଖିବା ପାଇଁ ଅପାରଗ କି ବ୍ୟବସ୍ଥା?
କମ୍ପୁଟର ମୁଦ୍ରଣଜନିତ ତ୍ରୁଟି ନା’ ଗୁଗୁଲ ଟ୍ରାନ୍ସଲେଟ୍କୁ ଭରସା କରାଯାଇଥିଲା?
ପ୍ରଶ୍ନପତ୍ର ମୁଦ୍ରଣ କରୁଥିବା ସଂସ୍ଥା ଓଡ଼ିଆ ଭାଷା ସଂପର୍କରେ ଅଜ୍ଞ କି?