କାଳ ପାଲଟୁଛି କାଳବୈଶାଖୀ: କୁଆପଥର ମାଡ଼ ସହ ଝଡ଼ବର୍ଷା, ଉଡିଲା ଛପର, ଭାଙ୍ଗିଲା ଘର

123

କନକ ବ୍ୟୁରୋ: ଚାଷୀଙ୍କୁ କାଳ ହେଲା କାଳବୈଶାଖୀ । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡରେ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ । କୁଆପଥର ବର୍ଷା କେଉଁଠି ପାଚିଲା ଧାନକୁ ଉଜାଡି ଦେଇଛି ତ ଆଉ କେଉଁଠି ଅମଳ ଅପେକ୍ଷାରେ ଥିବା ମକା ଫସଲକୁ ନଷ୍ଟ ହୋଇଯାଇଛି ।

ରବିବାର ସଂଧ୍ୟାରେ ହଠାତ୍ ବଦଳିଯାଇଥିଲା ପାଗର ମିଜାଜ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶରୁ ବର୍ଷିଥିଲା କୁଆପଥର । କେଇ ଘଂଟାର ବର୍ଷା ପରେ ରାସ୍ତାଘାଟରେ ଜମିଗଲା କୁଆପାଥର । ଯାହା କାଶ୍ମୀରର ଭ୍ରମ ସୃଷ୍ଟି କରିଛି । ଯାହାର ମଜା ନେଉଛନ୍ତି ପଥଚାରୀ । କିନ୍ତୁ ଏହି କୁଆପଥର ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

ନବରଂଗପୁର ଜିଲ୍ଲାରେ କୁଆପଥର ବର୍ଷା ସାଂଗକୁ ପ୍ରବଳ ବେଗରେ ପବନ ବହିବାରୁ ଉଠି ଯାଇଛି ଘରର ଛପର । ମାଟି ଘର ମାଟିରେ ମିଶି ଯାଇଛି । ଭାଂଗି ପଡିଛି ବଡ ବଡ ଗଛ । କେବଳ ଏତିକି ନୁହେଁ ଏକର ଏକର ଜମିରେ ଚାଷ ହୋଇଥିବା ମକା ଫସଲ ନଷ୍ଟ ହୋଇଯାଇଛି । ପରିବା ଫସଲ କଥା ନକହିବା ଭଲ । ଉୁଜୁଡା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ ।

ବରଗଡ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବରେ ପାଚିଲା ଧାନ । ଧାନ କେଣ୍ଡା ସବୁ ନଷ୍ଟ ହୋଇଯାଇଛି । ତା-ସହିତ ବିଭିନ୍ନ ପନିପରିବା ଚାଷ ମଧ୍ୟ ଉଜୁଡି ଯାଇଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ । ଉଜୁଡା ଧାନକେଣ୍ଡାକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ।

ଏପଟେ ମଂଗଳବାର ପାଇଁ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ଏହି ୪ ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ପବନ ଓ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।