ବିଜୁଳି କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ । ମନ୍ତ୍ରୀ କହିଲେ ପାୱାର କଟ୍ ନୁହେଁ, ଓଭରଲୋଡିଂ ଯୋଗୁଁ ହେଉଛି ପାୱାର ଟ୍ରିପ୍ । କିଛି ଦିନ ତଳେ କହିଥିଲେ, ପାୱାରକଟ୍ ଏକ କଳ୍ପନା । 

116

କନକ ବ୍ୟୁରୋ: କିଛି ଦିନ ତଳେ ରାଜ୍ୟର ଶକ୍ତିମନ୍ତ୍ରୀ କହୁଥିଲେ, ପାୱାର କଟ୍ ଏକ କଳ୍ପନା । ହେଲେ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ଅଘୋଷିତ ବିଜୁଳି କାଟର ଚିତ୍ର, ମନ୍ତ୍ରୀଙ୍କୁ ବୟାନ ବଦଳାଇବା ପାଇଁ ବାଧ୍ୟ କରିଛି । ସିଧାସଳଖ ବିଜୁଳି କାଟକୁ ମନ୍ତ୍ରୀ ମାନିନଥିଲେ ବି ପାୱାର ଟ୍ରିପର ବାହାନା ଦେଖାଇଛନ୍ତି । ଅର୍ଥାତ ଖରାଦିନେ ଚାପ ପଡୁଛି ଆଉ ଲୋଡ୍ ସମ୍ଭାଳି ନପାରି  ବିଜୁଳି ସରବରାହରେ ବ୍ୟାହତ ହେଉଛି ବୋଲି ମନ୍ତ୍ରୀ ମାନିଛନ୍ତି ।

ତେବେ ମନ୍ତ୍ରୀଙ୍କ ଉତ୍ତର ଶୁଣିଲା ପରେ ଯେଉଁ କଥାଟି ମନକୁ ଆସୁଛି, ତାହା ଠିକ୍ ଏମିତି – କହି ଜାଣିଲେ କଥା ସୁନ୍ଦର । ପାୱାର କଟ୍ ହେଉଛି ନା’ ନାହିଁ’ର ଉତ୍ତର ଯଦି ପାୱାର ଟ୍ରିପ୍ ହେଉଛିରେ ଆସିବ, ତେବେ କ’ଣ କୁହାଯିବ । ଠିକ୍ କିଛି ଦିନ ପୂର୍ବରୁ ମନ୍ତ୍ରୀଙ୍କ ଦୃଷ୍ଟିରେ ପାୱାର କଟ୍ ଥିଲା କଳ୍ପନା । ପ୍ରାୟ ଦୁଇ ସପ୍ତାହ ପରେ ରାଜ୍ୟରେ ପାୱାର କର୍ଟ ହେଉନି, ବରଂ ପାୱାର ଟ୍ରିପ୍ କରିଯାଉଛି ବୋଲି ମନ୍ତ୍ରୀ ସ୍ୱୀକାର କରିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି, ଖରା ଦିନେ ବ୍ୟାହତ ବିଜୁଳି ସେବାରେ ପ୍ରଭାବିତ ଉପଭୋକ୍ତାଙ୍କୁ କ’ଣ ମନ୍ତ୍ରୀଙ୍କ ଉତ୍ତର ସନ୍ତୁଷ୍ଟ କରିପାରିବ ।

ବିଜୁଳି ବିଭ୍ରାଟର ଅନେକ କାରଣ ଥାଇପାରେ । କିନ୍ତୁ ଏହି କାରଣ ଭିତରେ ସାଧାରଣ ଜନତା ବିଜୁଳି ନଥିବାରୁ କେମିତି ହନ୍ତସନ୍ତ ହୁଅନ୍ତି ତାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି  । ବାଲେଶ୍ୱର ଜିଲ୍ଲା ସୋର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ବିଜୁଳି ନଥିବାରୁ କେଉଁଠି ଡିବି ଆଲୁଅରେ ଚଳିବାକୁ ପଡୁଛି ତ’ ଆଉ କେଉଁଠି ଗରମ ଗୁଳୁଗୁଳିରେ ବିଞ୍ଚଣା ପାଲଟିଛି ପଙ୍ଖା ।

ସାଧାରଣ ଜନତାଙ୍କ ଏହି ଅଭିଯୋଗ ଭିତରେ ଶକ୍ତି ମନ୍ତ୍ରୀ କହିଛନ୍ତି- ରାଜ୍ୟରେ ପାୱାର କଟ ହେଉନି । ଓଭରଲୋଡିଂ ପାଇଁ ପାୱାର ଟ୍ରିପ୍ କରିଯାଉଛି । ରାଜ୍ୟରେ ଇଲେକ୍ଟ୍ରିକସିଟି ସପ୍ଲାଏର ଅଭାବ ନାହିଁ । ଗୋଟିଏ ଥର ଲାଇନ୍ ଟ୍ରିପ୍ କରିଗଲେ, ତାକୁ ଠିକ୍ କରିବା ପାଇଁ ୬ ରୁ ୭ଘଣ୍ଟା ଲାଗୁଛି । ଗ୍ରାମାଞ୍ଚଳରେ ଏହି ସମୟ ଟିକେ ଅଧିକ ନେଉଛି । ଲୋକମାନଙ୍କୁ କିଭଳି ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇ ହେବ ସେ ନେଇ ପ୍ରୟାସ ଜାରି ରହିଛି । ଯେଉଁ ସ୍ଥାନରେ ତାର ଛିଣ୍ଡି କିମ୍ବା ଟ୍ରାନ୍ସଫର୍ମର ପୋଡ଼ି ଲାଇନ କଟିଯାଉଛି, ସେଭଳି ସ୍ଥାନକୁ ଯାଇ ସସମ୍ୟାର ସମାଧାନ ପାଇଁ ତାଗିଦ୍ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାକୁ ବିଜୁଳି ବଳକା ରାଜ୍ୟ ବୋଲି କୁହାଯାଉଛି, କିନ୍ତୁ ଖରା ଦିନେ ବିଜୁଳି ଆବଶ୍ୟକତା ପୂରଣ ପାଇଁ ବିଭାଗ ଆଗୁଆ ପ୍ରସ୍ତୁତ ଥିଲା ନା ନାହିଁ?  ଖରାଦିନେ ବିଜୁଳିର ଆବଶ୍ୟକତା ଅନ୍ୟଦିନ ତୁଳନାରେ ବଢ଼ିଯାଏ, ତେଣୁ ବିଜୁଳି ଟ୍ରିପ୍ କରିବାର ଯଥେଷ୍ଟ ସମ୍ଭାବନା ଥାଏ, ତେବେ ଏଥିପାଇଁ ବିଭାଗ ପ୍ରସ୍ତୁତ ନଥିଲା କି?