ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ: ହେଲେ ଅନ୍ୟ ରାଜ୍ୟଠାରୁ ଅଧିକ ହେଉଛି ପାୱାର କଟ୍

128

କନକ ବ୍ୟୁରୋ: ଓଡିଶାରେ ସେଭଳି ବିଦ୍ୟୁତ୍ କାଟ ହେଉନଥିବା ବିଭାଗ ପକ୍ଷରୁ ଓ ବିତରକ କମ୍ପାନୀ ପକ୍ଷରୁ ବାରମ୍ବାର କୁହାଯାଉଛି । ହେଲେ, ନୂଆଦିଲ୍ଲୀ ସ୍ଥିତ ଶକ୍ତି, ପରିବେଶ ଓ ଜଳ ପରିଷଦ ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସଂପର୍କରେ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହା ଭିନ୍ନ କଥା କହୁଛି ।

୨୦୨୦ରେ କରାଯାଇଥିବା ସର୍ଭେକୁ ଆଧାର କରି , କାଉନ୍ସିଲ୍ ଅନ୍ ଏନର୍ଜି, ଏନ୍ଭାୟରନମେଂଟ ଏଣ୍ଡ ୱାଟର ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟ ଅନୁସାରେ ଭାରତର କୌଣସି ରାଜ୍ୟ ପାୱାର କଟ୍ରୁ ମୁକ୍ତ ନୁହଁ । କିନ୍ତୁ ଉଦ୍ବେଗର ବିଷୟ ହେଉଛି ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ ହୋଇଥିଲେ ବି ଓଡ଼ିଶାରେ ପାୱାରକଟ ଦିଲ୍ଲୀ, କେରଳ, ଗୁଜୁରାଟ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ହିମାଚଳପ୍ରଦେଶ, ପଶ୍ଚିମବଂଗ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ତୁଳନାରେ ବେଶ ଅଧିକ ହେଉଛି ।

ଓଡିଶାର ଗ୍ରାମାଂଚଳରେ ଅଧିକ ପାୱାରକଟ ହେଉଛି । ଏହା ଆମେ ପୂର୍ବରୁ ବାରମ୍ବାର କହି ଆସୁଥିଲେ ବି ଏହାକୁ ଏଡାଇ ଆସନ୍ତି ବିତରଣ କମ୍ପାନୀ । କିନ୍ତୁ ତଥ୍ୟରୁ ସ୍ପଷ୍ଟ ହେଉଛି, ଗ୍ରାମାଂଚଳର ପାୱାର କଟ୍ ଜାତୀୟ ହାରାହାରି ବିଦ୍ୟୁତ୍ କାଟ୍ ସମୟ ଅବଧିଠାରୁ ଅଧିକ । ରିପୋର୍ଟ ଅନୁସାରେ ..

– ଓଡ଼ିଶାରେ ଗ୍ରାମାଂଚଳରେ ଦିନକୁ ୪ ଘଂଟା ୧୦ ମିନିଟ୍ ବିଦ୍ୟୁତ୍ କାଟ କରାଯାଉଛି
– ଯେତେବେଳେ କି ଜାତୀୟସ୍ତରରେ ଗ୍ରାମାଂଚଳରେ ଦିନକୁ ୪ଘଂଟା ୩୦ ମିନିଟ୍ ବିଦ୍ୟୁତ୍ କାଟ ହେଉଛି
ସହରାଂଚଳ ମଧ୍ୟ ବିଦ୍ୟୁତ କାଟରୁ ବାଦ ପଡୁନି । ରାଜ୍ୟର ସହରାଂଚଳରେ ଦିନକୁ ହାରାହାରି ୧ ଘଂଟା ୩୦ ମିନିଟ୍ ପାୱାର କଟ୍ ହେଉଛି । ଯାହାକି ଜାତୀୟସ୍ତରର ସହରାଂଚଳର ପାୱାରକଟ ପ୍ରାୟ ପାଖପାଖି । ଜାତୀୟସ୍ତରରେ ସହରାଂଚଳରେ ୧ ଘଂଟା ୩୦ ମିନିଟ୍ ପାଖାପାଖି ଲୋକ ଅନ୍ଧାରରେ ରହୁଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
– ଓଡ଼ିଶାରେ ଗ୍ରୀଷ୍ମ ତୁରେ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ୫ ହଜାର ୫ ଶହ ମେଗାୱାଟ୍ ରହୁଛି
– ରାଜ୍ୟରେ ବିଭିନ୍ନ ସୂତ୍ରରୁ ପ୍ରାୟ ୬ ହଜାର ୫ ଶହ ମେଗାୱାଟ୍ ବିଦ୍ୟୁତ୍ ଉପଲବ୍ଧ ରହିଛି
– ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର କ୍ଷମତା ୨୧ ଶହ ମେଗାୱାଟ୍
– ଏହି ସଂସ୍ଥା ଅତିକମ୍ରେ ୧୫ ଶହ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବାରେ ସାମର୍ଥ୍ୟ
– ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମର ସ୍ଥାପିତ କ୍ଷମତା ୧୭ ଶହ ୪୦ ମେଗାୱାଟ୍
– ଏଠାରେ ଅତିକମ୍ରେ ୧୨୭୦ ମେଗାୱାଟ୍ ବିଦ୍ୟୁତ୍ ଉପଲବ୍ଧ ହେବା କଥା

ହେଲେ, ଏତେ ସବୁ ସତ୍ୱେ ବି ଓଡିଶାରେ ବିଦ୍ୟୁତ୍ କାଟ ହେବା ବିତରଣ ଓ ଉତ୍ପାଦନ କମ୍ପାନୀର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।