ମୋଦିଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କଲେ ରାଜ୍ୟପାଳ ଗଣେଶୀ ଲାଲ! କହିଲେ, ଶ୍ରୀକୃଷ୍ଣଙ୍କ ପରେ ଶିବାଜୀଙ୍କ ଭଳି ମୋଦିଙ୍କ ପାଖରେ ରହିଛି ୩ଟି ବିଶେଷ ଗୁଣ, ଜାଣନ୍ତୁ କଣ ସେହି ୩ଟି ଗୁଣ

48

କନକ ବ୍ୟୁରୋ : ମୋଦିଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା । ଆଉ ଏଭଳି ତୁଳନା କରିଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେବଳ କୃଷ୍ଣ ନୁହେଁ, ଛତ୍ରପତି ଶିବାଜୀଙ୍କ ସହ ବି ମୋଦିଙ୍କୁ ତୁଳନା କରିଛନ୍ତି ରାଜ୍ୟପାଳ । ଭଗବାନ କୃଷ୍ଣଙ୍କ ପାଖରେ ଥିବା ତିନିଟି ଗୁଣ ଭାରତରେ ଯଦି ଆଉ କାହା ପାଖରେ ଦେଖିବାକୁ ମିଳିଥିଲା ସେ ଥିଲେ- ଛତ୍ରପତି ଶିବାଜୀ । ସେହି ତିନିଟି କଳା ହେଲା- ଭଲ ସଂଗଠକ, ଭଲ ସେନାପତି ଓ ଭଲ ପ୍ରଶାସକ ।

ଛତ୍ରପତି ଶିବାଜୀଙ୍କର ୩୨୪ ବର୍ଷ ପରେ ଆଉ ଜଣେ ଯଦି ଏହି ତିନିଟି କଳାରେ ଶ୍ରେଷ୍ଠତ୍ୱ ଲାଭ କରିଛନ୍ତି ସେ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି କହିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାବେଳର କାହାଣୀକୁ ନେଇ ରଚିତ ୩୨ମିନିଟର ଫିଲ୍ମ “ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ପ୍ରଦର୍ଶନ ଦେଖିବା ପରେ ଏଭଳି କହିଛନ୍ତି ରାଜ୍ୟପାଳ ।

ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଉତ୍ସବରେ ଯୋଗ ଦେବା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫିଲ୍ମଟିକୁ ଦେଖିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ବାଣୀରେ ପ୍ରଭାବିତ ହୋଇ ବାଳକ ମୋଦି କିଭଳି ବଂଚିବାର ମାନେ ଖୋଜିଥିଲେ ତାହା ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମରେ ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟର ଭଡ଼ନଗର ସ୍କୁଲ, ତାଙ୍କ ବାପାଙ୍କ ସହ ଚା’ ବିକୁଥିବା ରେଳ ଷ୍ଟେସନକୁ ମଧ୍ୟ ସ୍ଥାନିତ କରାଯାଇଛି ।