ବେଙ୍ଗାଲୁରୁରେ ଆଜି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

86

କନକ ବ୍ୟୁରୋ : ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ହୋଟେଲ ତାଜ୍ ୱେଷ୍ଟ ଏଣ୍ଡରେ ଶିଳ୍ପ ସଂଘ ଫିକି ସହଯୋଗରେ ଓଡ଼ିଶା ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି । ଏହି ଅବସରରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ, କର୍ପୋରେଟ୍ ପ୍ରତିନିଧି ଓ ନିବେଶକ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀରେ ଆଇଟି କଂପାନିର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଲୋଚନାରେ କରିବେ । ସେଥିରେ ଆଇବିଏମ୍‌ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋ-ଜିଇ ହେଲ୍‌ଥକେୟାରର ସିଇଓ ଡକ୍ଟର ଶ୍ରବଣ ସୁବ୍ରମଣ୍ୟନ, ଏବିବି ଲିମିଟେଡ୍‌ର ସିଏଫ୍‌ଓ ଟି କେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍‌ର ସିଏଫ୍‌ଓ ସରାୟଣ ପି, ଇଣ୍ଡୋ ନିସିନ୍ ଫୁଡ୍‌ସର ଏମ୍‌ଡି ଗୌତମ ଶର୍ମା, ପେଜ୍‌ ଇଣ୍ଡଷ୍ଟ୍ରିଜ୍‌ର ସିଇଓ ଭି ଏସ୍‌ ଗଣେଶ, ହାପିଏଷ୍ଟ୍‌ ମାଇଣ୍ଡ୍‌ସର ସିଏଫ୍‌ଓ ଭେଙ୍କଟରମଣ ଏନ୍‌, କଟନ୍ ୱାର୍ଲଡ୍‌ର ଏମ୍‌ଠି ବି ଏନ୍‌ ମୋନପ୍ପା, ୱା‌ଣ୍ଡେର୍ଲାର ଏମ୍‌ଡି ଅରୁଣ ଚିତ୍ତପାଲ୍ଲି ଏବଂ ଇଣ୍ଡିଆନ୍ ଷ୍ଟିଚେସ୍‌ର ସିଏମ୍‌ଡି ବିଶାଲ ସେହଗଲ ଭାଗ ନେବେ ।

ଏଥି ସହିତ ସେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଓ ସ୍ବାସ୍ଥ୍ୟ ସେବାରେ ରହିଥିବା ସମ୍ଭାବନାକୁ ନେଇ ନିବେଶକମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ । ବ୍ୟବସାୟ ବାତାବରଣକୁ ଅନୁକୂଳ ଓ ସୁଗମ କରିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଅବଗତ କରିବେ । ରାଜ୍ୟରେ ରହିଥିବା ବନ୍ଦର, ସୁଦୀର୍ଘ ଉପକୂଳକୁ ନେଇ ରହିଥିବା ବ୍ୟବସାୟ ସମ୍ଭାବନା ବିଷୟରେ ଜଣାଇବେ । ଏହା ବ୍ୟତୀତ ଆଇଟି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ର, ଇ-ଯାନ, ଇଏସ୍‌ଡିଏମ୍, ଅଟୋମୋବାଇଲ୍‌ ଓ ଅଟୋ ଉପକରଣ, ବୟନ ଓ ପୋଷାକ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ବିଷୟରେ ମଧ୍ୟ ‌ସେ ନିବେଶକମାନଙ୍କୁ ଜଣାଇବେ ଏବଂ ଓଡ଼ିଶାରେ ନିବେଶ କରିବାକୁ ଆହ୍ବାନ କରିବେ ।

ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ । ଏହି କନକ୍ଲେଭରେ ସାମିଲ ହେବାକୁ ଥିବା ନିବେଶକଙ୍କୁ ଓଡିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁ ଗସ୍ତରେ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରହିଛନ୍ତି । ଏହି ଇନଭେଷ୍ଟର୍ସ ମିଟ ବା ନିବେଶକ ସମ୍ନିଳନୀରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶା ପରିଚାଳନା ଅଧ୍ୟକ୍ଷ ଓମକାର ରାଏ ପ୍ରମୁଖ ଉପସ୍ଥିତ ରହିବେ । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଅନୁରୂପ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ଅପରାହ୍ନରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ଓ ଅନ୍ୟ କିଛି ଶିଳ୍ପପତିଙ୍କ ସହ ବୈଠକ କରିଥିଲେ ।