ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଚମକିଲେ ଓଡିଆ ଝିଅ ରିମା ! ଇଂଲଣ୍ଡ ବିପକ୍ଷରେ ଦେଖାଇଲେ ଦମ୍ ।

631

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଚମକିଲେ ଓଡିଆ ଝିଅ । ରାଉରକେଲାର ଝିଅ ରିମା ଲକ୍ଷ୍ମୀ ଏକ୍କା ମହିଳା କ୍ରିକେଟରେ ଜଲୱା ଦେଖାଇବା ସହ ଓଡିଶାର ନାଁକୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପରିଚିତ କରାଇଛନ୍ତି । ଭାରତୀୟ ଦଳରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଦୀର୍ଘଦିନ ଧରି କେହି ଓଡିଆ ଖେଳିନଥିବା ବେଳେ ରିମା ଭାରତ ଦଳରୁ ଖେଳି ଓଡିଶାକୁ ଗର୍ବିତ କରାଇଛନ୍ତି ।

ଭାରତ ବୋର୍ଡ ସଭାପତି ଏକାଦଶ (ମହିଳା) ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଖେଳିବାର ସୁଯୋଗ ପାଇଛନ୍ତି ରିମା । ଆଜି ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚରେ ଭାରତ ବୋର୍ଡ ସଭାପତି ପରାସ୍ତ ହୋଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଏବେ ଚର୍ଚ୍ଚାରେ ଅଛନ୍ତି ଓଡିଆ ଝିଅ ରିମା । ଇଂଲଣ୍ଡ ବିପକ୍ଷରେ ୯ ଓଭର ବୋଲିଂ କରିଥିବା ବେଳେ ମାତ୍ର ୨୪ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ଓଡିଆ ଝିଅ ରିମା ଲକ୍ଷ୍ମୀ ଏକ୍କା । ଏହା ସହ ଏହି ୯ ଓଭରରୁ ଦୁଇଟି ମେଡେନ୍ ଓଭର ମଧ୍ୟ ରହିଛି । ସେହିପରି ଭାରତ ଏହି ମ୍ୟାଚରେ ୧୫୪ ରନରେ ଅଲଆଉଟ୍ ହୋଇଥିବା ବେଳେ ରିମା ୩ ରନ୍ କରି ଅପରାଜିତ ରହିଥିଲେ । ଆଗାମୀ ଦିନରେ ଭାରତୀୟ ଦଳ ପକ୍ଷରୁ ଖେଳି ଓଡିଶାର ନାଁକୁ ଆହୁରି ଗର୍ବାନ୍ୱିତ କରିବାକୁ ଆଶା ରଖିଛନ୍ତି ରିମା ।