ଜାତିସଂଘ ସୁରକ୍ଷା ପରିଷଦରେ ଆଜି କାଶ୍ମୀର ପ୍ରସଙ୍ଗରେ ଶୁଣାଣି । ଚୀନର ଚାପରେ ରୁଦ୍ଧଦ୍ୱାର ଆଲୋଚନା ପାଇଁ ରାଜି ହେଲା ପୋଲାଣ୍ଡ

ପାକିସ୍ତାନକୁ ୯ଟି ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ମିଳିବ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

895

କନକ ବ୍ୟୁରୋ: କାଶ୍ମୀର ପ୍ରସଙ୍ଗରେ ଆଜି ଶୁଣାଣୀ କରିବ ମିଳିତ ଜାତିସଂଘ ସୁରକ୍ଷା ପରିଷଦ । ଇତିହାସରେ ଦ୍ୱିତୀୟଥର ଲାଗି କାଶ୍ମୀର ପ୍ରସଙ୍ଗରେ ଶୁଣାଣୀ କରିବାକୁ ଯାଉଛି ୟୁଏନଏସସି । ୧୯୭୧ ପରେ ଜାତିସଂଘ ସୁରକ୍ଷା ପରିଷଦରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେବ । ତେବେ ପାକିସ୍ତାନ ଅନୁରୋଧରେ ଏବଂ ଚାନର ଚାପରେ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛି ପୋଲାଣ୍ଡ । ଆଜି ସଂଧ୍ୟାରେ ରୁଦ୍ଧଦ୍ୱାର ବୈଠକ ପାଇଁ ସ୍ଥିର ହୋଇଛି । ହେଲେ ପ୍ରଥମରୁ ପାକିସ୍ତାନକୁ ଲାଗିଛି ଝଟକା ।

ଜାତିସଂଘ ସୁରକ୍ଷା ପରିଷଦରେ ୫ ସ୍ଥାୟୀ ସଦସ୍ୟ ରହିଥିବାବେଳେ ୧୦ ଅସ୍ଥାୟୀ ସଦସ୍ୟ ଅଛନ୍ତି । ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେବଳ ଚୀନକୁ ବାଦଦେଲେ ଅନ୍ୟ କାହାରି ସମର୍ଥନ ପାକିସ୍ତାନକୁ ମିଳିନାହିଁ । କାରଣ କାଶ୍ମୀର ପ୍ରସଙ୍ଗ ଉଭୟ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷୀକ ପ୍ରସଙ୍ଗ କହି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଆମେରିକା, ରୁଷ, ବ୍ରିଟେନ ଓ ଫ୍ରାନ୍ସ । ସେହିପରି ଅନେକ ଅସ୍ଥ୍ୟାୟୀ ସଦସ୍ୟ ମଧ୍ୟ ପାକିସ୍ତାନକୁ ସମର୍ଥନ ଜଣାଇ ନାହାନ୍ତି ।

ଅନ୍ୟ ପକ୍ଷରେ ୟୁଏନଏସସିର ରୋଟେଟିଂ ପ୍ରେସିଡେଂଟ ଭାବେ କେବଳ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ବାଧ୍ୟ ହୋଇଛି ପୋଲାଣ୍ଡ । ସେହିପରି ଚୀନର ସମର୍ଥନ ପଛରେ ତାର ବାଧ୍ୟବାଧକତା ରହିଛି । ପାକିସ୍ତାନରେ ଚୀନ କରିଥିବା ବିପୁଳ ନିବେଶକୁ ସୁରକ୍ଷା ଦେବା ପାଇଁ ଜାତିସଂଘରେ ପାକିସ୍ତାନ ସହ ଛିଡା ହେବାକୁ ବାଧ୍ୟ ହୋଇଛି ।