କିଏ ନେଲା ଧାନ ବସ୍ତା ବାବଦକୁ ସରକାର ଦେଇଥିବା ଟଙ୍କା? ୧୦ ବର୍ଷ ହେଲା ବରଗଡ ଜିଲ୍ଲାରେ ଚାଷୀଙ୍କୁ ମିଳୁନି ବସ୍ତା ଟଙ୍କା । ସରକାରୀ ରିପୋର୍ଟରେ ଦର୍ଶାଯାଇଛି ବସ୍ତା ବାବଦକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା ।

128

କନକ ବ୍ୟୁରୋ: ଖାଦ୍ୟ ନୀତି ଅନୁସାରେ, ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପରେ ଧାନକ୍ରୟ ସଂସ୍ଥା ଦ୍ୱାରା ଧାନ କିଣି ମିଲକୁ ପଠାଯାଏ । ମଣ୍ଡିରୁ ମିଲକୁ ଧାନ ଯିବା ବେଳେ ସରକାର ବସ୍ତା ଦେବାର ବ୍ୟବସ୍ଥା ରହିଛି । ତେବେ ବରଗଡ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଚାଷୀଙ୍କ ପାଇଁ କେତେ ବସ୍ତା ଆସିଛି? ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଆରଟିଆଇ ଆକ୍ଟ ଆଧାରରେ ଏସବୁର ତଥ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ରମେଶ ମହାପାତ୍ର ନାମକ ଜଣେ ଚାଷୀ । ଆଉ ଏବେ ଯେଉଁ ତଥ୍ୟ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।

ବରଗଡ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି, ବସ୍ତା ବାବଦକୁ ୧୦ ବର୍ଷରେ ଖର୍ଚ୍ଚ ହୋଇଛି, ୨୨୦୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ ଟଙ୍କା । ସେହିଭଳି ରାଜ୍ୟ ଖାଉଟି ଯୋଗାଣ ବିଭାଗର ତଥ୍ୟ କହୁଛି, ଧାନବସ୍ତା ବାବଦକୁ ଏକ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ ୯୫ ଟଙ୍କା ଦିଆଯାଉଛି । ହେଲେ ଚାଷୀଙ୍କ ଅଭିଯୋଗ ବସ୍ତା ବାବଦରେ ଟଙ୍କା ଦିଆଯାଉନାହିଁ ।

ସବୁଠାରୁ ଆଶ୍ଚଯ୍ୟକର କଥା ହେଉଛି, ବରଗଡ ଜିଲ୍ଲାରେ ଚାଷୀ ନିଜ ଘରୁ ବସ୍ତାରେ ଧାନ ଭର୍ତ୍ତି କରି ମଣ୍ଡିକୁ ଆଣୁଛନ୍ତି । ସେହି ବସ୍ତାରେ ହିଁ ଧାନ ମଣ୍ଡିକୁ ଯାଉଛି । ଏଥିପାଇଁ ଯୋଗାଣ ବିଭାଗ ଚାଷୀଙ୍କୁ ଟଙ୍କା ଦେବା କଥା, ହେଲେ ସେ ଟଙ୍କା ଚାଷୀଙ୍କୁ ଦିଆଯାଉନଥିବା ବେଳେ କୁଆଡେ ଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ନିଜ ମୁଣ୍ଡରୁ ସବୁ ଦୋଷ ଛଡେଇ ଦେଇ ବ୍ୟବସାୟିକ ସଂସ୍ଥା ଉପରେ ଲଦି ଦେଇଛନ୍ତି । ବସ୍ତା ବାବଦକୁ ଆସିଥିବା କୋଟି କୋଟି ଟଙ୍କା କିଏ ନେଲେ, କୁଆଡେ ଗଲା ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆଗାମୀ ଦିନରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଆନ୍ଦୋଳନ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।