କନକ ବ୍ୟୁରୋ : ନିଜ ସୁବିଧା ଅନୁସାରେ ଓଡିଶା ସରକାର ତାରିଖ ଦିଅନ୍ତୁ ଏବଂ ମହାନଦୀ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ଆଗେଇ ଆସନ୍ତୁ । କେନ୍ଦ୍ର ନିଜେ ଛତିଶଗଡକୁ ଆଲୋଚନା ପାଇଁ ଡାକିବେ ଏବଂ ଓଡିଶା-ଛତିଶଗଡ ମଧ୍ୟରେ ମଧ୍ୟସ୍ଥତା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ମର୍ମରେ ଚିଠି ଲେଖିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଟ୍ରିବ୍ୟୁନାଲ ଗଠନ ଏକ ବିଳମ୍ବିତ ପ୍ରକ୍ରିୟା ତେଣୁ ଆପୋଷ ଆଲୋଚନା କରି ବିବାଦର ସମାଧାନ କରାଯାଉ । ସେପଟେ ଗଡକରୀଙ୍କ ଚିଠି ପରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ସ୍ପଷ୍ଟ ନୁହଁ, ଟ୍ରିବ୍ୟୁନାଲ ଗଠନରେ ଅସୁବିଧା କେଉଁଠି ?
Kanak News is now on WhatsApp
Join and get latest news updates delivered to you via WhatsApp
ସଂସଦରେ ଆପୋଷ ବୁଝାମଣା ଜରିଆରେ ମହାନଦୀ ବିବାଦ ତୁଟାଇବା ପାଇଁ ପରାମର୍ଶ ଦେଇଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଚିଠିରେ ଲେଖିଛନ୍ତି-ଟ୍ରିବୁନାଲ ଗଠନ ଏକ ବିଳମ୍ବିତ ପ୍ରକ୍ରିୟା । ଆଇନ ବିଭାଗର ଅନୁମୋଦନ ଅପେକ୍ଷାରେ ଥିବା ଜଳ ବିବାଦ ଆଇନରେ ସଂଶୋଧନ ହେବା ପରେ ସମସ୍ତ ଜଳ ବିବାଦର ସମାଧାନ ହୋଇଯିବ ବୋଲି ଚିଠି ଲେଖିଛନ୍ତି । ଯାହାକୁ ନେଇ ଖୋଦ୍ ବିଜେପି ଦଳରୁ ଉଠିଛି ପ୍ରଶ୍ନ ।
କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ବିଜୟଙ୍କ ପ୍ରଶ୍ନବାଚୀ । ସଂସଦରେ କେନ୍ଦ୍ରମନ୍ତ୍ରୀ ରଖିଥିବା ବିବୃତି ସ୍ପଷ୍ଟ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଟ୍ରିବୁନାଲ ଗଠନ କଲେ କ୍ଷତି କ’ଣ ? ଆପୋଷ ବୁଝାମଣାରେ କେମିତି ହେବ ସମାଧାନ? ଓଡ଼ିଶା ସରକାର କେଉଁ ତଥ୍ୟ ଦେଇ ନାହାଁନ୍ତି ତାହା କେନ୍ଦ୍ର ସ୍ପଷ୍ଟ କରୁ ବୋଲି ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି । ଏହାଛଡା ମହାନଦୀକୁ ନେଇ ସିଡବ୍ଲୁସିକୁ ନିକଟରେ ଯେଉଁ ତଥ୍ୟ ରହିଛି ତାହା କେନ୍ଦ୍ର ସରକାରଙ୍କୁ ଜଣାଉନାହିଁ କାହିଁକି ? ଏହା ପଛରେ କଣ ଅଭିସନ୍ଧି ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ । ଏହାଛଡା ମହାନଦୀ ଏବେ ସୂତା ଖିଅରେ ଝୁଲି ରହିଛି ବୋଲି ବିଜୟ କହିଛନ୍ତି ।
ମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ ମହାନଦୀ ଉପରମୁଣ୍ଡରେ ବନ୍ଧ ବାନ୍ଧିଚାଲିଛି ଛତିଶଗଡ ଏବଂ ଏପଟେ ଓଡିଶାକୁ କମିବାରେ ଲାଗିଛି ଜଳପ୍ରବାହ । ଆଉ ବିଜେଡିର ସେହି ଗୋଟିଏ ଜିଦ୍ ପ୍ରଥମେ ଛତିଶଗଡ଼ ପ୍ରକଳ୍ପ ବନ୍ଦ କରୁ, ତା ପରେ ଆଲୋଚନା । ଏପଟେ ବିରୋଧୀ କଂଗ୍ରେସ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛିି । କଂଗ୍ରେସ କହିଛି କେନ୍ଦ୍ର ସରକାର ଓଡ଼ିଶା ସହ ବେଇମାନି କରିଛି । ଛତିଶଗଡର ସ୍ୱାର୍ଥ ରକ୍ଷା କରିବା ପାଇଁ କେନ୍ଦ୍ର ବାରମ୍ବାର କଥା ବଦଳାଉଛି ।
ମହାନଦୀକୁ ନେଇ ଓଡିଶା-ଛତିଶଗଡ ତୁତୁମେମେ ଭିତରେ ଗତକାଲି ସଂସଦରେ ବିଜେଡି ଉଠାଇଥିଲା ଜଳ ବିବାଦ ପ୍ରସଙ୍ଗ । ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନରେ ବିଳମ୍ବ ଦର୍ଶାଇ କେନ୍ଦ୍ରକୁ ଘେରିବା ପରେ ଗୃହରେ ଉତର ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ଏବେ ଚିଠି ଲେଖି ଆଲୋଚନାର ପ୍ରସ୍ତାବ ଦେଇଛନ୍ତି ନୀତିନ ଗଡ଼କାରୀ ।