୪ବର୍ଷ ପରେ ଇସଲାମାବାଦ ବିମାନ ବନ୍ଦରରେ ପହଂଚିଲେ ନୱାଜ ସରିଫ୍ । ଲାହୋରରେ କହିବେ ପାକିସ୍ତାନକୁ ରକ୍ଷା କରିବାର ଯୋଜନା

678

କନକ ବ୍ୟୁରୋ : ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ ପହଂଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ସେ ଆଜି ମଧ୍ୟାହ୍ନ ୨.୦୫ ମନିଟରେ ଲାହୋର ବିମାନ ବନ୍ଦରରେ ପହଂଚିଛନ୍ତି । ଏହି କ୍ରମରେ ନୱାଜଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଇଶାକ ଡାର ଓ ଲିଗାଲ ଟିମ୍ ଉପସ୍ଥିତ ଥିଲେ ।

ଏବେ ନୱାଜ ସରିଫ ନିଜ ପରିବାର ସହ ଲାହୋର ଗସ୍ତ କରିବେ । ଲାହୋରରୁ ସେ ସନ୍ଧ୍ୟାବେଳେ ମୀନାର ଏ-ପାକିସ୍ତାନ ଯିବେ । ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ପାକିସ୍ତାନକୁ କିଭଳି ଭାବେ ଆର୍ଥିକ ସଂକଟରୁ ରକ୍ଷା କରାଯାଇପାରିବ ତାହା ଉପରେ ଯୋଜନା କ’ଣ ହୋଇପାରେ କହିବେ । ସେଠାରେ ନୱାଜ ସରିଫଙ୍କ ରାଜନୈତିକ ଦଳ ପାକିସ୍ତାନ ମୁସଲିମ୍ ଲିଗ ନୱାଜ ତରଫରୁ ନୱାଜଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି ।

ଆଇନଗତ ଭାବେ ୨୦୧୮ ରେ ନୱାଜ ସରିଫଙ୍କୁ ନିର୍ବାଚନ ଲଢିବା ନେଇ ଅଯୋଗ୍ୟ ଘୋଷଣା କରାଯାଇଛି । ହେଲେ ସେ ଜେଲରୁ ଅନୁମତି ନେଇ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ । ଏବେ ପାକିସ୍ତାନ ସେନା ନୱାଜ ସରିଫଙ୍କ ସମର୍ଥନରେ ଥିବା ବେଳେ ତାଙ୍କୁ ଆଇନଗତ ଭାବେ କୌଣସି ଅସୁବିଧା ହେବ ନାହିଁ ବୋଲି ଆକଳନ କରାଯାଉଛି । ଅକ୍ଟୋବର ୨୪ ତାରିଖରେ ସେ ପରମାନେଣ୍ଟ ବେଲ ପାଇଁ କୋର୍ଟରେ ହାଜର ହେବେ । ନୱାଜ ସରିଫଙ୍କୁ ଜେଲ ପଠାଇଥିବ ପ୍ରଧାନମନ୍ତ୍ରୀ ଏବେ ନିଜେ ଜେଲରେ ରହିଛନ୍ତି ।