ସାବଧାନ ଓ ସତର୍କ ରୁହନ୍ତୁ, କିଛି ଲୋକ ଆପଣଙ୍କୁ ପିଛା କରୁଛନ୍ତି । ସାଂସଦ ନବନୀତ ରାଣାଙ୍କୁ ଆସିଲା ବେନାମୀ ଚିଠି । 

134

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରି ବିବାଦକୁ ଆସିଥିବା ସ୍ୱାଧୀନ ସାଂସଦ ନବନୀତ ରାଣାଙ୍କୁ ନେଇ ପୁଣି ଚର୍ଚ୍ଚା । ଉମେଶ କୋଲହେ ହତ୍ୟା ମାମଲା ଉଠାଇବା ପରେ ଏବେ ନବନୀତଙ୍କୁ ଏକ ବେନାମୀ ଚିଠି ଆସିଛି । ଯେଉଁ ଚିଠିରେ ନବନୀତଙ୍କୁ ସତର୍କ କରାଇଛନ୍ତି ଅଜଣା ବ୍ୟକ୍ତି । କିଛି ଅଜଣା ବ୍ୟକ୍ତି ନବନୀତଙ୍କୁ ପିଛା କରୁଥିବା ନେଇ ସେ ସତର୍କ କରାଇଛନ୍ତି ।

ନବନୀତଙ୍କୁ ଚିଠି ଲେଖିଥିବା ବ୍ୟକ୍ତି ଜଣକ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ନିଜ ନାଁ ଏଠାରେ ଲେଖିପାରୁନି । ମୁଁ ଆପଣଙ୍କ ସହରର ଏକ ସାଧାରଣ ନାଗରିକ । କିନ୍ତୁ ଏଠାରେ ମୁଁ ଆପଣଙ୍କୁ ସତର୍କ କରାଇଦେବାକୁ ଚାହୁଁଛି ଯେ, ଆପଣ ଟିକିଏ ସତର୍କ ରୁହନ୍ତୁ । କାରଣ କିଛି ଲୋକ ଆପଣଙ୍କ ପିଛା କରୁଛନ୍ତି । ଆପଣ ମୋତେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ଜଣେ ସରକାରୀ କର୍ମଚାରୀ, ତେଣୁ ଆପଣଙ୍କୁ ସତର୍କ କରିବାକୁ ଉଚିତ୍ ମଣିଲି ।

କେବଳ ଏତିକି ନୁହେଁ ଚିଠି ଲେଖିଥିବା ବ୍ୟକ୍ତି କହିଛନ୍ତି ଯେ, କିଛି ବ୍ୟକ୍ତି ରାଜସ୍ଥାନ ବର୍ଡରରୁ ଅମରାବତୀ ଆସିଛନ୍ତି । ଏପରିକି ଏହି ଲୋକମାନେ ଆପଣଙ୍କ ଘର ମଧ୍ୟ ବୁଲି ସାରିଛନ୍ତି । ଗତମାସ ଅମରାବତୀରେ ମେଡିକାଲ ସଞ୍ଚାଳକ ଉମେଶ କୋଲହେଙ୍କୁ ଅତି ନିମର୍ମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାକୁ ନେଇ ନବନୀତ ରାଣା ସ୍ୱର ଉଠାଇଥିଲେ । ଯେଉଁଥିପାଇଁ ନବନୀତଙ୍କୁ ଲଗାତାର ଧମକ ମିଳୁଛି ।