ସକାଳେ ଆନ୍ଦୋଳନ ସନ୍ଧ୍ୟାରେ ସମର୍ଥନ ! ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲା ବିଜେଡି

36

କନକ ବ୍ୟୁରୋ : ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ଟାଣି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି ନବୀନ୍ । ଅର୍ଥାତ୍ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବିଜେଡିର ସମସ୍ତ ସାଂସଦ ଓ ବିଧାୟକ । ପୂର୍ବ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ଏନଡିଏ ସମର୍ଥନ ଜଣାଇଥିବାରୁ ଚଳିତଥର ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଜଣାଇଥିବା ନବୀନ୍ କହିଛନ୍ତି ।

ଉଭୟ ବିଜେପି ଓ କଂଗ୍ରେସଠାରୁ ସମ ଦୂରତା ରକ୍ଷା କରୁଥିବା ବିଜେଡି ସୁପ୍ରିମୋ ଏଥର ଭିଷଣ ଦ୍ୱନ୍ଦ୍ୱରେ ରହିଥିଲେ । କାରଣ ଗୋଟିଏ ପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟ ଥିବାବେଳେ ଅନ୍ୟପଟେ ଅଣବିଜେପି ମେଂଟ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଅଂଟା ଭିଡିଥିଲା ଯାହାର ନେତୃତ୍ୱ ନେଇଥିଲା କଂଗ୍ରେସ୍ ।

ବିଜେପି ସଂସଦୀୟ ଦଳ ବୈଠକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଫୋନଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ । ଆଉ ଏହାର ଠିକ ପରେ ପରେ ନବୀନ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ନେଇ ଘୋଷଣା କରିଥିଲେ ।

ସକାଳେ ଆନ୍ଦୋଳନ ସଂଧ୍ୟାରେ ସମର୍ଥନ । ମହାନଦୀ ଏବଂ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି । ହେଲେ ସଂଧ୍ୟାରେ ବଦଳିଗଲା ଆଭିମୁଖ୍ୟ । ଯେଉଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲା ଦଳ, ସେହି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ପଛରେ କଣ ରହିଛି ବାଧ୍ୟବାଧକତା?

– ଜଣେ ଦଳିତ ନେତା ହୋଇଥିବାରୁ ରାମନାଥଙ୍କୁ ସମର୍ଥନ କଲେ କି ନବୀନ?
– ପୂର୍ବରୁ ବିଜେଡି ପ୍ରାର୍ଥୀଙ୍କୁ ଏନଡିଏ ସମର୍ଥନ କରିଥିବାରୁ ବିଜେପି ପ୍ରାର୍ଥୀଙ୍କୁ ନବୀନ କଲେ କି ସମର୍ଥନ?
– ଚିଟଫଣ୍ଡ ବିବାଦରେ କିଛି ବିଜେଡି ନେତା ଛନ୍ଦି ହୋଇଥିବାରୁ ସମର୍ଥନ ପାଇଁ ବାଧ୍ୟ ହେଲେ କି ନବୀନ?

ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ପରେ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ନିର୍ବାଚନ ପରିବର୍ତ୍ତେ ସମସ୍ତ ଦଳର ସହମତି ଭିତିରେ ରାମନାଥଙ୍କୁ ରାଷ୍ଟ୍ରପତି କରାଇବାକୁ ଚାହୁଁଛି ଏନଡିଏ । ହେଲେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଥିବାରୁ ଆଗାମୀ ୨୨ରେ ତାର ପ୍ରାର୍ଥୀ ଚୂଡାନ୍ତ କରିବାକୁ ଏକାଠି ହେଉଛନ୍ତି କଂଗ୍ରେସ ନେତୃତ୍ୱାଧୀନ ଅଣବିଜେପି ମେଂଟ ।