ବାରବାଟୀ ବ୍ୟାଟେଲରେ ୱେଷ୍ଟଇଣ୍ଡିଜ ଘାଇଲା ! ନିର୍ଣ୍ଣାୟକ ମ୍ୟାଚରେ ନବଦୀପଙ୍କ ଚମତ୍କାର ବୋଲିଂ, ଡେବ୍ୟୁ ମ୍ୟାଚରେ ଦେଖାଇଲେ ଦମ୍ ।

670

କନକ ବ୍ୟୁରୋ : ସାଇନ୍ କଲେ ସଇନି । ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଆଜି ପାଦ ରଖିଛନ୍ତି ଭାରତର ଡାହାଣହାତୀ ଦ୍ରୁତଗାମୀ ବୋଲର ନବଦୀପ ସଇନି । ସେ ଭାରତୀୟ ଟିମ୍ ପକ୍ଷରୁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିବା ୨୨୯ତମ ଖେଳାଳୀ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଲଢେଇରେ ଦ୍ରୁତଗାମୀ ବୋଲର ନବଦୀପ ସଇନିଙ୍କୁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

୨୬ ବର୍ଷୀୟ ଏହି ଭାରତୀୟ ଖେଳାଳୀଙ୍କ ଜନ୍ମ ଏକ ଗରିବ ପରିବାରରେ ହୋଇଥିଲା । ପିଲାଟି ଦିନରୁ କ୍ରିକେଟର ହେବାର ସ୍ୱପ୍ନ ଦେଖୁଥିଲେ ସଇନି । ଏମିତି ବି ଏକ ସମୟ ଥିଲା ଯେତେବେଳେ ସେ ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ ଏବଂ ପ୍ରତି ମ୍ୟାଚ୍ ପାଇଁ ତାଙ୍କୁ ମାତ୍ର ୨୦୦ ଟଙ୍କା ମିଳୁଥିଲା । ତେବେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ସହ ନେଟ୍ ପ୍ରାକ୍ଟିସ କରିବାର ସୁଯୋଗ ପାଇଥିଲେ ସଇନି । ଆଉ ସେତେବେଳେ ତାଙ୍କ ପ୍ରଦର୍ଶନରେ ଗମ୍ଭୀର ବେଶ୍ ପ୍ରଭାବିତ ହୋଇଥିଲେ ।

ସଇନିଙ୍କ ଦମଦାର ବୋଲିଂ ଦେଖି ତାଙ୍କୁ ପ୍ରତିଦିନ ନେଟ୍ ପ୍ରାକ୍ଟିସ କରିବା ପାଇଁ ଆସିବାକୁ କହିଥିଲେ ଗମ୍ଭୀର । ଯାହାକି ତାଙ୍କ ଜୀବନରେ ଆଣିଦେଇଥିଲା ଏକ ନୂଆ ମୋଡ । ଗୌତମ ଗମ୍ଭୀର ସଇନିଙ୍କୁ ସହଯୋଗ କରିଥିଲେ, ଏବଂ ଦିଲ୍ଲୀ ରଣଜୀ ଟିମରେ ତାଙ୍କର ଚୟନ କରିଥିଲେ । ଆଉ ସଇନିଙ୍କ ଦମଦାର ବୋଲିଂ ବଳରେ ୨୦୧୭-୧୮ରେ ରଣଜୀ ଫାଇନାଲରେ ପହଞ୍ଚିଥିଲା ଦିଲ୍ଲୀ । ସେ ୮ଟି ମ୍ୟାଚରେ ୩୪ଟି ୱିକେଟ ନେଇଥିଲେ ।

ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ବୋଲିଂ କରିଥିବା କ୍ଷମତା ରଖିଥିବା ସଇନି ୨୦୧୯ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ନିଜ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିଣିପାରିଥିଲେ । ତେବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ନବଦୀପ ସଇନି ୨୦୧୯ ଅଗଷ୍ଟ ୩ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିଥିଲେ । ଆଉ ତାଙ୍କ ପ୍ରଦର୍ଶନ ମଧ୍ୟ କ୍ରମାଗତ ଭାବେ ଭଲ ରହିଛି । ଆଉ ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆରେ ଡେବ୍ୟୁ କରିଥିବା ବେଳେ ନିଜ କ୍ୟାରିୟରର ପ୍ରଥମ ମ୍ୟାଚରେ ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି ସଇନି ।