ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ଯୁବକ, ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ବସାଇ ମେଡିକାଲ ନେଲେ ଜିଲ୍ଲାପାଳ

1,116

କନକ ବ୍ୟୁରୋ: ଜୀବନ ବଞ୍ଚାଇଲେ ଜିଲ୍ଲାପାଳ । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ସାହାଯ୍ୟ କରି ନିଜ ମାନବିକତାର ପରିଚୟ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଦୁର୍ଘଟଣାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ମେଡିକାଲ ନେଇଥିଲେ ଜିଲ୍ଲାପାଳ । ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଅଜଣା ଯୁବକଙ୍କୁ ଏଭଳି ସାହାଯ୍ୟ କରି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି କୁଲାଙ୍ଗେ ।

ତେବେ ଶେରଗଡ ମାରୁଡି ଛକ ନିକଟରେ ଟାଟାଏସି ଧକ୍କାରେ ବାଇକ ଚାଳକ ଶିବରାମ ପ୍ରଧାନ ଗୁରୁତର ହୋଇଥିଲେ । ମାରୁଡି ଅଭିମୁଖେ ଯୁବକ ଜଣଙ୍କ ଯାଉଥିବା ବେଳେ ତାରାତାରିଣୀ ପଟୁ ଆସୁଥିବା ଏକ ପାଣି ବୋଝେଇ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଆଉ ଦୁର୍ଘଟଣାରେ ଯୁବକ ଜଣଙ୍କ ଛିଟିକି ପଡି ରାସ୍ତାରେ ଗୁରୁତର ହୋଇ ପଡିଥିଲେ ।

ତେବେ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଗହଳି ଦେଖି କାର୍ଯ୍ୟକ୍ରମ ସାରି ଫେରୁଥିବା ଜିଲ୍ଲାପାଳ ଗାଡି ଅଟକାଇ ସେଠାକୁ ଯାଇଥିଲେ । ଆଉ ଗୁରୁତର ଯୁବକଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ହିଁ ତାଙ୍କୁ ମେଡିକାଲ ଆଣିଥିଲେ । ତେବେ ରାସ୍ତା କଡରୁ ଉଠାଇ ଗୁରୁତର ଯୁବକଙ୍କୁ ହିଂଜିଳି ମେଡିକାଲରେ ଭର୍ତ୍ତି କରାଇବା ପରେ ଜିଲ୍ଲାପାଳଙ୍କ ମଣିଷପଣିଆକୁ ସମସ୍ତେ ସଲାମ କରିଛନ୍ତି ।