ମତ ମାଗିଲେ ମୋଦି ! ବଡ ଉଦ୍ଦେଶ୍ୟ ପାଇଁ କଠୋର ନିଷ୍ପତିର ହେବ ସର୍ଭେ

94

କନକ ବ୍ୟୁରୋ : ବିମୁଦ୍ରାକରଣ ନେଇ ଆପଣ କଣ ଚିନ୍ତା କରୁଛନ୍ତି । ମୋଦି ସରକାରଙ୍କ ରାତି ଅଧିଆ ଘୋଷଣା ଆପଣଙ୍କୁ ଅଡୁଆରେ ପକାଇଛି ନା ଦେଶରୁ କଳାଧନ ଓ ଦୁର୍ନୀତି ହଟାଇବାର ଏହି ଅଭିଯାନରେ ଆପଣଙ୍କ ସମର୍ଥନ ରହିଛି । ସେନେଇ ଦେଶବାସୀଙ୍କଠାରୁ ସିଧାସଳଖ ମତାମତ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ ।

ଟ୍ୱିଟର ମାଧ୍ୟମରେ ୧୦ଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ଏନ୍ଏମ୍ ଆପ୍ସ ଡାଉନଲୋଡ କରି ଏହି ସର୍ଭେରେ ଭାଗ ନେବାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ପଚାରିଥିବା ପ୍ରଶ୍ନଗୁଡିକ ହେଉଛି –

ଆପଣ କ’ଣ ଭାବୁଛନ୍ତି ଭାରତରେ କଳାଧନ ଅଛି କି ନାହିଁ ?

ଆପଣ ଭାବୁଛନ୍ତି କି ଦୁର୍ନୀତି ଓ କଳାଧନ ବିରୋଧରେ ଲଢିବା ଦରକାର?

କଳାଧନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ନେଇ ଆପଣଙ୍କ ମତ କ’ଣ ?

ଦୁର୍ନୀତି ରୋକିବାରେ ମୋଦି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆପଣ କ’ଣ ଭାବୁଛନ୍ତି ?

୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ନେଇ ମୋଦି ସରକାରଙ୍କ ନିଷ୍ପତିରେ ଆପଣଙ୍କ ମତ?

୫୦୦ ଓ ହଜାରେ ଟଙ୍କିଆ ନୋଟକୁ ରାତି ଅଧିଆ ଅଚଳ କରିଦେଇଥିବାରୁ ମୋଦି ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ । ଏପରିକି ସଂସଦର ଶୀତ ଅଧିବେସନକୁ ଚଳାଇ ଦେଉନାହାନ୍ତି । ଲୋକଙ୍କୁ ହଇରାଣରେ ପକାଇ ଦେଶରେ ଅର୍ଥନୈତିକ ଅରାଜକତା ସୃଷ୍ଟି କରିଥିବା ଅଭିଯୋଗ କରୁଛନ୍ତି । ତେଣୁ ପ୍ରକୃତରେ ଲୋକେ ଏହି ଘୋଷଣାକୁ ନେଇ କଣ ଚିନ୍ତା କରୁଛନ୍ତି ସିଧାସଳଖ ଜାଣିବାକୁ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ପଚାରିଥିବା ଆଉ କେତେକ ପ୍ରଶ୍ନ ହେଉଛି :

କଳାଧନ, ଦୁର୍ନୀତି ଓ ଆତଙ୍କବାଦ ଦମନ କରିବାରେ ବିମୁଦ୍ରାକରଣ ନିଷ୍ପତି ସହାୟକ ହେବ କି?

ବିମୁଦ୍ରାକରଣ ଦ୍ୱାରା ରିଅଲ ଇଷ୍ଟେଟ, ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସାଧାରଣ ଲୋକଙ୍କ ହାତପାହାନ୍ତାରେ ମିଳିପାରିବ ?

କଳାଧନ, ଦୁର୍ନୀତି ଓ ଆତଙ୍କବାଦ ଦମନ ସହ ଜାଲ୍ ନୋଟ୍ କାରବାର ରୋକିବା ଦିଗରେ ଏହି ପଦକ୍ଷେପ ଦ୍ୱାରା ଆପଣ ଅସୁବିଧା ଭୋଗୁଚନ୍ତି କି?

ଆପଣ ବିଶ୍ୱାସ କରୁଛନ୍ତି କି ପ୍ରକୃତରେ ଦୁର୍ନୀତି, କଳାଧନ ଓ ଆତଙ୍କବାଦ ବିରୋଧରେ ପଦକ୍ଷେପ ନିଆଯାଉଛି?

ଆପଣଙ୍କ ନିକଟରେ କିଛି ପ୍ରସ୍ତାବ ବା ମତ ଅଛି କି ଯାହା ଆପଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାଂଟିବା ପାଇଁ ଚାହିଁବେ ?

ବିମୁଦ୍ରାକରଣର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିଛି । ତେଣୁ ଏଭଳି କଠୋର ପଦକ୍ଷେପ କାଳେ ଜନ ଅସନ୍ତୋଷ ସୃଷ୍ଟି କରୁଥିବ ସେନେଇ ସ୍ପଷ୍ଟ ହେବାକୁ ଏଭଳି ସର୍ଭେ କରାଯାଉଥିବା ଚର୍ଚ୍ଚା ହେଉଛି । ଏନଏମ ଆପ ଜରିଆରେ ସିଧାସଳଖ ଦେଶବାସୀଙ୍କ ମତାମତ ଜାଣିପାରିବେ ପ୍ରଧାନମନ୍ତ୍ରୀ ମୋଦି ।