ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର । ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ପ୍ରଶାନ୍ତ ରାଉତ ।

710

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ସୁରକ୍ଷା ଦେଇଥିଲା କିଏ? ଏକାଧିକ ଥର ଗିରଫ ହେବା ସତ୍ୱେ କେମିତି ମିଳିଥିଲା ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦ? ଏହା ସବୁଠି ଚର୍ଚ୍ଚା ବିଷୟ ହୋଇଥିବାବଳେ ସାମନାକୁ ଆସିବାରେ ଲାଗିଛି, ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଗୋଟିଏ ପରେ ଗୋଟିଏ କଳା କାହାଣୀ । ପଥର, ବାଲି ଖାଦାନରୁ କେମିତି ସେ କୋଟି କୋଟି ଟଙ୍କା କମାଉଥିଲେ ତାହା ସାମନାକୁ ଆସିଛି ।

  • କେମିତି ଠୁଳ କଲେ କୋଟି କୋଟି ଟଙ୍କା?
  • କ’ଣ ଥିଲା ଆୟର ସ୍ରୋତ?

ଦୁର୍ନୀତି ଅଭିଯୋଗରେ ପ୍ରଶାନ୍ତ ରାଉତ ଏକାଧିକ ଥର ଗିରଫ ହୋଇଥିଲେ । ତାସତ୍ୱେ ତାଙ୍କୁ ଭାରପ୍ରାପ୍ତ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା । ଆଉ ଏହି କ୍ଷମତା ଦ୍ୱାରା ହିଁ ସେ ପୁଣି ଦୁର୍ନୀତି କରିବା ଆରମ୍ଭ କରିଦେଇଥିଲେ । ପ୍ରଶାନ୍ତଙ୍କ କ୍ଷମତା ପରିଧିରେ ଆସୁଥିଲା ବାଲିଖାଦାନ, ପଥର ଖାଦାନ ଓ ଜମିଜମା ସମ୍ପର୍କିତ ମାମଲା । ଏହା ସହ ଆରଏମସି ଅଧ୍ୟକ୍ଷ ପଦ ବି ସେ ପାଇଥିଲେ ।

  • ନଦୀରୁ ବାଲି ଉତ୍ତୋଳନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା
  • ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିଲା
  • ଜାମ୍ବୁଗୁଡା, ସିରିସୀ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ କରାଯାଉଥିଲା
  • ଆଉ ଏହା ପଛରେ ପ୍ରଶାନ୍ତଙ୍କ ହାତ ଥିଲା ଓ ଏଥିରୁ ସେ କୋଟି କୋଟି ଟଙ୍କାର ହାତ ଚିକ୍କଣ କରୁଥିଲେ ବୋଲି ଅଭିଯୋଗ ହୋଇଛି

ପ୍ରଶାନ୍ତଙ୍କୁ କାହିଁକି ଦିଆଯାଇଥିଲା ଗୁରୁତ୍ୱପୂର୍ଣ୍ଣ ପଦ?

କିଏ ସାଜିଥିଲା ସୁରକ୍ଷା କବଚ?

ବାରମ୍ବାର ଗିରଫ ସତ୍ୱେ ବି ପ୍ରଶାନ୍ତ ରାଉତଙ୍କୁ କାହିଁକି ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ସନ୍ଦେହ କରାଯାଉଛି, ପ୍ରଶାନ୍ତ ବିଭିନ୍ନ ତହସିଲରେ ବେଆଇନ ପଥର ଖାଦାନକୁ ପ୍ରଶୟ ଦେଉଥିଲେ । କିଛିଦିନ ତଳେ ଉମରକୋଟ ତହସିଲ ଅନ୍ତର୍ଗତ ନାୟକଗୁଡା ପଞ୍ଚାୟତର ଶୀତଳ ଡଙ୍ଗରି ଓ ବେହେଡା ପଞ୍ଚାୟତର କେଶରୀବେଢାଠାରେ ଥିବା ଜଙ୍ଗଲ ଜମିରେ ପଥର ଉତ୍ତୋଳନ କରାଯାଉଥିଲା । ଏହି ବେଆଇନ କାମରେ ଗିରଫ ଉପଜିଲ୍ଲାପାଳଙ୍କ ପ୍ରମୁଖ ଭୂମିକା ଥିଲା । ଆଉ ଏଥିରୁ ସେ କୋଟି କୋଟି ଟଙ୍କାର ଫାଇଦା ପାଉଥିଲେ ।