ଲୋକଙ୍କ ବିଶ୍ୱାସ ଜିତି ସୁନା ଲୁଟିନେଲେ ନାଗା ବାବା । ଭିକ୍ଷୁକ ବେଶରେ ଆସି ବୁଲାଇଦେଲେ କଳା କନା

340

କନକ ବ୍ୟୁରୋ: ନାଗା ବାବାଙ୍କ ପ୍ରତି ଆମ ଲୋକମାନଙ୍କ ଭିତରେ ସ୍ୱତନ୍ତ୍ର ଭକ୍ତି ଭାବନା ରହିଛି । ନାଗା ବାବାମାନଙ୍କୁ ଆମ ଲୋକମାନେ ଲୋଭ, ମୋହ ମାୟର ଉଦ୍ଧ୍ୱର୍ରେ ବୋଲି ଭାବିଥାନ୍ତି । କିନ୍ତୁ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରୁ ଆସିଛି ସାଂଘାତିକ ଅଭିଯୋଗ । ଭିକ୍ଷୁକ ବେଶରେ ଆସିଥିବା ଓ ନିଜକୁ ନାଗା ବାବା ବୋଲି କହୁଥିବା ଠକ ରଘୁନାଥପୁରର ଜଣଙ୍କ ଘରୁ ସୁନା ରୂପା ଲୁଟି ନେଇଛନ୍ତି ।

ମନ୍ତ୍ର, ଝାଞ୍ଜ କୀର୍ତନରେ କମ୍ପି ଉଠୁଥିଲା ମାଉସୀ ମା ମନ୍ଦିର । ଜଗନ୍ନାଥଙ୍କ ଆଗରେ ଧାଡି ହୋଇ ବସି ରହିଥିଲେ ନାଗା ସାଧୁମାନେ । ହାତରେ ଖଞ୍ଜଣି, ଶଙ୍ଖ, ବାଜା ଧରି କୀର୍ତନ କରୁଥିବାବେଳ ଜଟାଧାରି ବାବା ଜଣଙ୍କ ମାଇକରେ ମନ୍ତ୍ର ଉଚ୍ଚାରଣ କରୁଥିଲେ । ଯାହାକୁ ନେଇ ମନ୍ଦିର ପ୍ରାଙ୍ଗଣ ହୋଇଉଠିଥିଲା ଭକ୍ତିମୟ ।

ଦେହରେ ବିଭୂତି ବୋଳି, ମୁଣ୍ଡରେ ଠେକା ବାନ୍ଧି ଓ ଦେହରେ କୌପନୀ ପିନ୍ଧିଥିବା ଏହି ବ୍ୟକ୍ତି ନିଜକୁ କୈଳାସରୁ ଆସିଥିବା ଅଘୋରୀର ପରିଚୟ ଦେଇଥିଲେ । ଯାହାକୁ ଦେଖିବା ପାଇଁ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଅଞ୍ଚଳରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଚାରିଆଡେ ପ୍ରଚାର ହେଲା ବାବା ସମସ୍ତଙ୍କ ଭାଗ୍ୟ ପରିବର୍ତନ କରିଦେବେ । ଆଉ ବାବା ଯାହା ଘରେ ପାଦ ରଖି ମନ୍ତ୍ର ଉଚ୍ଚାରଣ କରିବେ ତାଙ୍କ ଗ୍ରହ ରିଷ୍ଟ ଖଣ୍ଡନ ହେବ ।

ଲୋକଙ୍କୁ ଲୁଟ୍ କରିବା ପାଇଁ ବିଶ୍ୱାସର ଜାଲ ବୁଣି କଳାକନା ବୁଲାଇଥିଲେ ଏହି ନାଗା ବେଶଧାରୀ ଲୁଟେରା । ଏମାନେ ମନ୍ତ୍ର ତନ୍ତ୍ର ପୂଜାପାଠ ନାଁରେ ଲୋକଙ୍କୁ ଭୂଆଁ ବୁଲାଇ ତାଙ୍କ ଘର ଭିତରେ ପସି ରେକି କରୁଥିଲେ । ଆଖିରେ ଆଙ୍ଗୁଠି ଗେଂଜି ମିଛରେ ରୁଦ୍ରାକ୍ଷ ଦେଇ ସୁଯୋଗକୁ ଅପେକ୍ଷା କରୁଥିଲେ ଆଉ ସମୟଦେଖି ସବୁକିଛି ଲୁଟି ଫେରାର ହେଇଯାଉଥିଲେ । ତେବେ ରଘୁନାଥପୁର ନିବାସୀ ପ୍ରାଣକୃଷ୍ଣଙ୍କୁ ନିଜ ମାୟାଜାଲରେ ଫସାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ଚମ୍ପଟ ମାରିଛନ୍ତି ୬ ନାଗାବାବା ।