ପୁଣି ଥରେ କଂଗ୍ରେସକୁ ଲାଗିବ ଗୁଲାମ ଝଟକା । ଜମ୍ମୁ-କାଶ୍ମୀରରେ ଏକାଥରକେ ଇସ୍ତଫା ଦେଇପାରନ୍ତି ୫୧ କଂଗ୍ରେସ ନେତା, ଆଜାଦଙ୍କ ଦଳରେ ହେବେ ସାମିଲ ।

115

କନକ ବ୍ୟୁରୋ : ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇ ଦଳକୁ ବଡ ଝଟକା ଦେଇଥିଲେ । ଆଉ ଏବେ ପୁଣିଥରେ ଜମ୍ମୁୁ-କାଶ୍ମୀରରେ କଂଗ୍ରେସକୁ ଲାଗିବାକୁ ଯାଉଛି ବଡ ଝଟକା । କାରଣ ଜମ୍ମୁ-କାଶ୍ମୀର କଂଗ୍ରେସ ରାଜନୀତିରେ ସବୁଠୁ ବଡ ଚେହେରା କୁହାଯାଉଥିବା ଗୁଲାମନବୀଙ୍କ ରାସ୍ତା ଆପଣାଇବାକୁ ମନସ୍ଥିର କରିଛନ୍ତି ଅନେକ କଂଗ୍ରେସ ନେତା ଓ କର୍ମୀ । ଜମ୍ମୁ-କାଶ୍ମୀରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରା ଚ. ପୂର୍ବ ମନ୍ତ୍ରୀ ମାଜିଦ ୱାନି, ମନୋହର ଲାଲ ଶର୍ମାଙ୍କ ସମେତ ୫୧ରୁ ଅଧିକ ନେତା ଖୁବଶୀଘ୍ର କଂଗ୍ରେସର ହାତ ଛାଡିପାରନ୍ତି । ଆଉ କଂଗ୍ରେସ ଛାଡିବାକୁ ମନସ୍ଥିର କରିଥିବା ଏହି ନେତା ମାନେ ଖୁବଶୀଘ୍ର ଆଜାଦ ଘୋଷଣା କରିବାକୁ ଥିବା ଦଳରେ ଯୋଗଦେବେ ।

ଦୀର୍ଘ ଦିନ ଧରି କଂଗ୍ରେସ ନେତୃତ୍ୱଙ୍କ ଉପରେ ନାରାଜ ଥିବା ଗୁଲାମନବୀ ଗତ ସପ୍ତାହରେ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ନେତୃତ୍ୱଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜି-୨୩ ଗ୍ରୁପରେ ସାମିଲ ଥିଲେ ଗୁଲାମନବୀ । କଂଗ୍ରେସ ଦଳରେ ଅନେକ ପରିବର୍ତ୍ତନ ଆବଶ୍ୟକ ବୋଲି କହିବା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ମଧ୍ୟ ଲେଖିଥିଲା ଜି-୨୩ ଗ୍ରୁପ୍ । ଆଉ ଏହାପର ଠାରୁ ଜି-୨୩ ଗ୍ରୁପ୍ ଓ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଏକ ଶୀତଳଯୁଦ୍ଧ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ଜି-୨୩ ଗ୍ରୁପର ନେତା ମାନେ ଗୁଲାମନବୀଙ୍କ ଇସ୍ତଫା ପରେ ମଧ୍ୟ କଂଗ୍ରେସ ନେତୃତ୍ୱଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । କଂଗ୍ରେସରେ ବଡ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ବାରମ୍ବାର କହି ଆସିଛି ଏହି ସମୂହ ।

ଗୁଲାମନବୀ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଗୁଲାମନବୀ କହିଛନ୍ତି, ଖୁବଶୀଘ୍ର ନିଜର ଏକ ଦଳ ଗଢିବି ଏବଂ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନକୁ ଓହ୍ଲାଇବୁ ।