ସେକ୍ସ ରାକେଟ ଅଭିଯୁକ୍ତ ମେଘାଳୟ ବିଜେପି ନେତାଙ୍କ ଫାର୍ମ ହାଉସରୁ ମିଳିଲା ବିସ୍ଫୋଟକ । ଜିଲୋଟିନର ୩୫ ଛଡ ଜବତ

524

କନକ ବ୍ୟୁରୋ : ମେଘାଳୟ ବିଜେପି ନେତା ବାର୍ନାଡ ଏନ ମାରକଙ୍କ ନାମରେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି । ପ୍ରଥମେ ସେ ତାଙ୍କ ଫାର୍ମ ହାଉସରେ ସେକ୍ସ ରାକେଟ ଚଳାଉଥିବା ନେଇ ପୋଲିସ ଖୋଲାସା କରିଥିଲା । ଏନେଇ ପୋଲିସ ମାରକଙ୍କ ଫାର୍ମ ହାଉସରୁ ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିବା ସହ ୭୩ ଜଣଙ୍କୁ ଗିରଫ କରିଥିଲା । ହେଲେ ମାରକ କେଉଁଆଡେ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ତଦନ୍ତ କରି ତାଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରିଥିଲା । ପୁଣି ଏବେ ସେହି ଫାର୍ମ ହାଉସରେ ପୋଲିସ ଚଢାଉ କରି ବିସ୍ଫୋଟକ ଜବତ କରିଛି । ପୋଲିସର କହିବା ମୁତାବକ ମାରକଙ୍କ ଫାର୍ମ ହାଉସରୁ ୩୫ ଟି ଜିଲୋଟିନ ଛଡ ଜବତ ହୋଇଛି । ଏହାସହ କିଛି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କଥା ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନା ମୁତାବକ ମାରକଙ୍କ ଫାର୍ମ ହାଉସରୁ ୩୫ ଟି ଜିଲୋଟିନ ଛଡ, ୧୦୦ ଡିଟୋନେଟର୍ସ, ୪ ଟି କ୍ରସ ଧୁନଷ, ୧୫ ଟି ବାଣ ଜବତ ହୋଇଛି । ପୋଲିସ କହିବା ମୁତାବକ ସେଠାର ୬ ନାବାଳିକା ଉଦ୍ଧାର ହେବା ପରେ ପୋଲିସ ସେହି ଫାର୍ମ ହାଉସକୁ ନାବାଳିକାଙ୍କୁ ପୋଷାକ ଆଣିବାକୁ ଯାଇଥିବା ବେଳେ ଏଭଳି କିଛି ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି । ସେପଟେ ଉଦ୍ଧାର ହୋଇଥିବା ନାବାଳିକାଙ୍କ ମଧ୍ୟରେ ଜଣେ ନାବାଳିକା ତାଙ୍କ ବୟାନରେ କହିଛନ୍ତି କି ସେଠାରେ ତାଙ୍କୁ ଶାରୀରିକ ଶୋଷଣ କରାଯାଉଥିଲା ।

ଏସବୁ ଭିତରେ ଉଗ୍ରବାଦୀରୁ ଫେରି ମୁଖ୍ୟ ସ୍ରୋତରେ ସାମିଲ ହୋଇ ନେତା ହୋଇଥିବା ମାରକ କହିଛନ୍ତି କି ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ସଂପର୍କ ନଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ମିଥ୍ୟା ମାମଲାରେ ଫସାଇ ପ୍ରତିଶୋଧ ନେବାକୁ ଏଭଳି ଯୋଜନା କରିଛନ୍ତି ।