ଆଜି ହେବ ନାହିଁ ଦିଲ୍ଲୀ ମେୟର ପଦ ପାଇଁ ନିର୍ବାଚନ, ଜାଣନ୍ତୁ କାରଣ ?

186

କନକ ବ୍ୟୁରୋ : ଆଜି ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରଖାଯାଇଛି । ଆମ୍ ଆଦମୀ ପାର୍ଟି ଓ ବିଜେପି ପରିଷଦଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିବା କଥା କୁହାଯାଇଛି । ଆଜି ଦିନ ୧୧ଟା ବେଳେ ମେୟର ପଦ ପାଇଁ ନିର୍ବାଚନ ହେବାକୁ ଥିଲା । ହେଲେ ଉଭୟ ଆପ୍ ଓ ବିଜେପି ପରିଷଦଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏଥିରେ ଉଭୟ ଦଳର କିଛି ପରିଷଦ ଆହାତ ହୋଇଥିବା ଦେଖିବାକୁ ମିଳିଛି । ଆପ୍ ପକ୍ଷରୁ ମନୋନୀତ ପରିଷଦଙ୍କୁ ପ୍ରଥମେ ଶପଥ ଦେବାକୁ ବିରୋଧ କରାଯାଇଥିଲା । ଏହାସହ ଆପ୍ ପକ୍ଷରୁ ଉପରାଜ୍ୟପାଳଙ୍କ ଦ୍ୱାରା ମେୟର ନିର୍ବାଚନ ପାଇଁ ପୀଠାସୀନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ବିଜେପି ପରିଷଦ ସତ୍ୟା ଶର୍ମାଙ୍କୁ ମଧ୍ୟ ବିରୋଧ କରାଯାଇଥିଲା । ସେପଟେ କଂଗ୍ରେସ ତରଫରୁ ଏହି ନିର୍ବାଚନରେ ଭାଗ ନନେବାକୁ ନିଷ୍ପତ୍ତି ନିଆଯାଇଛି ।

କହିରଖୁ କି ଦିଲ୍ଲୀ ଏମସିଡି ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି । ୨୫୦ ଆସନ ବିଶିଷ୍ଠ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୩୪ ୱାର୍ଡରେ ବିଜୟଲାଭ କରିଥିବା ବେଳେ ବିଜେପି ୧୦୪ ଓ କଂଗ୍ରେସ ୯ଟି ୱାର୍ଡରେ ବିଜୟଲାଭ କରିଥିଲା । ଏହାକୁ ନଜର କଲେ ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସୁନିଶ୍ଚିତ ରହିଛି । ହେଲେ ଆଜି ବିଜେପି ନେତା ମନୋଜ ତିୱାରୀ ଅଭିଯୋଗ କରିଛନ୍ତି କି କିଛି ଆମ୍ ଆଦମୀ ପାର୍ଟିର ପରିଷଦ କ୍ରସ ଭୋଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି । ଯାହାକୁ ନଜରରେ ରଖି ଆମ୍ ଆଦମୀ ପାର୍ଟି ଏଭଳି ବିଶୃଙ୍ଖଳା କରୁଛି  ।