ଲାଲଗଡରେ ମାଓବାଦୀଙ୍କ ସରକାର ! ନା ଏଠି ପୁଲିସର ଭୟ ନା ପ୍ରଶାସନକୁ ଖାତିର, ୧୩୦ଟି ଗାଁକୁ କବଜା କରିଛନ୍ତି ଲାଲବାହିନୀ

18

କନକ ବ୍ୟୁରୋ : ମାଓବାଦୀଙ୍କ ଚରା ଭୁଇଁ ପାଲଟିଛି ମାଲକାନଗିରି ବାଲିମେଳା ଜଳଭଣ୍ଡାର ଘେରରେ ଥିବା ବୁଡି ଅଂଚଳ । ବିଚ୍ଛିନ୍ନାଂଚଳରେ ଗତ ୨ ଦଶନ୍ଧି ଧରି ସମାନ୍ତରାଳ ଶାସନ ଚଳାଇ ଆସୁଛି ଲାଲବାହିନୀ । ସବୁ ଜାଣି ପୋଲିସ କିନ୍ତୁ ଅସହାୟ । କାରଣ ବିଚ୍ଛିନ୍ନାଂଚଳରେ ସୁରକ୍ଷା ଯୋଗାଇବା ପାଇଁ ଆବଶ୍ୟକୀୟ ସଂଖ୍ୟକ ସୁରକ୍ଷାକର୍ମୀ ନାହାନ୍ତି । ଫୋର୍ସ ଅଭାବରୁ ଲାଲକରିଡରରେ ହୋଇପାରୁନି ମାଓ ବିରୋଧୀ ଅଭିଯାନ । ପୋଲିସ ଡି.ଜି.ଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ହେଲିକପ୍ଟର ଯୋଗେ ବିଚ୍ଛିନ୍ନାଂଚଳ ଗସ୍ତ କରି ଆସୁଥିବା ବେଳେ ଫଳ କିନ୍ତୁ ଶୂନ ।

ହାତରୁ ଖସୁଛି ମାଲକାନଗିରିର ବିଚ୍ଛିନ୍ନାଂଚଳ । ବୁଡି ଅଂଚଳ ପଲଟିଛି ଲାଲକରିଡର । ଚିତ୍ରକୋଣ୍ଡା ବ୍ଲକର ୯ଟି ପଂଚାୟତର ମୋଟ ୧୫୧ଟି ଗାଁରୁ ୧୩୦ ଗାଁକୁ କବଜା କରିଛନ୍ତି ମାଓବାଦୀ । ଏଠି ନା ଅଛି ପୋଲିସର ଭୟ ନା ପ୍ରାଶସନର ଖାତିର । ନିୟମିତ ଏଠି ବସେ ମାଓବାଦୀଙ୍କ ପ୍ରଜାମେଳି ଆଉ ପ୍ରଜାକୋର୍ଟ । ପୁଲିସ ଇନଫର୍ମର ସନ୍ଦେହରେ ମୃତ୍ୟୁଦଣ୍ଡ ଭୋଗନ୍ତି ନିରିହ ଆଦିବାସୀ । ବୁଡି ଅଂଚଳରେ ସମାନ୍ତରାଳ ଶାସନ ଚାଳାଇ ଆସୁଛି ମାଓ ସଙ୍ଗଠନ ।

ସବୁ ବେଳେ ଲାଲବାହିନୀର ନାଲି ଆଖି । ଚାରିଆଡେ ଖାଲି ମାଓ ସ୍ମାରକୀ । ୨୦୧୬ ରାମାଗୁଡା ଏନକାଉଂଟର ପରେ ମାଓ ସ୍ମୃତୀ ଭବନ ନିର୍ମାଣ କରି ରାଜ୍ୟ ସରକାରକୁ ଖୋଲା ଚ୍ୟାଲେଂଜ କରିଛି ଆନ୍ଦ୍ର ଓଡିଶା ବର୍ଡର ଜୋନାଲ କମିଟି । ଏହାରି ଭିତରେ ବଂଚୁଛନ୍ତି ବୁଡି ଅଂଚଳର ଆଦିବାସୀ । ବିଛିନ୍ନାଂଚଳର ସୁରକ୍ଷା ତଦାରଖ ପାଇଁ ପୋଲିସ ଡି.ଜିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ବି.ଏସ.ଏଫ ଆଇ.ଜି ପ୍ରମୁଖ ବାରମ୍ବାର ହେଲିକପ୍ଟର ଗସ୍ତ କରନ୍ତି । ବିଚ୍ଛିନ୍ନାଂଚଳ ସୁରକ୍ଷା ବ୍ୟବସ୍ଥାରେ ସେଭଳି କିଛି ପରିବର୍ତନର ନଜର ନାହିଁ ।

୧୫୧ଟି ଦୁର୍ଗମ ଓ ଅପହଁଚ ଗାଁର ସୁରକ୍ଷା ପାଇଁ ରହିଛି ଗୋଟିଏ ଥାନା ସହ ମାତ୍ର ତିନୋଟି କ୍ୟାମ୍ପ । ଯାନବାଇ ଓ ବଡପଦରରେ ଗୋଟିଏ ଗୋଟିଏ ବି.ଏସ.ଏଫ କମ୍ପାନୀ ମୁତୟନ ରହିଥିବା ବେଳେ କୁନ୍ତୁରୁପଦର ଠାରେ ମୁତୟନ ହୋଇଛନ୍ତି ଗୋଟିଏ କମ୍ପାନୀ ଆଇ.ଆର.ବି ଯବାନ । ଏହି ତିନୋଟି କ୍ୟାମ୍ପର ଯବାନ କିଛି ସୀମିତ ସୀମା ଭିତରେ ଅପରେଟ କରନ୍ତି । ସୀମିତ ଫୋର୍ସକୁ ନେଇ ବିଚ୍ଛିନ୍ନାଂଚଳରେ ମାଓ ଦମନ ଅଭିଯାନ ସଫଳ କରିବା ସମ୍ଭବ ପର ହୋଉନ ଥିବା ବେଳେ ଅଧିକ ଫୋର୍ସ ଲାଗି ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଛି । ଖୁବ୍ଶଘ୍ର ଭଲ ଖବରକୁ ଆସିବ ବୋଲି ଅପେକ୍ଷା କରିଛନ୍ତି ମାଲକାନଗିରି ଏସ.ପି ଜଗମୋହନ ମିନା ।

ସେପଟେ ଗୁରୁପ୍ରୀୟ ସେତୁ ନିର୍ଧାରଣ କରିବା ବିଚ୍ଛିନ୍ନାଂଚଳବାସୀଙ୍କ ଆଗାମୀ ଭବିଷ୍ୟତ । ସେତୁ ନିର୍ମାଣ ଶେଷ ହେଲେ ସୁରକ୍ଷା ବ୍ୟବସ୍ଥା ସହ ସରକାରୀ ଯୋଜନା ପାଇପାରିବେ ବୋଲି ଆଶା ରଖିଛି ଲାଲକରିଡରରେ ଜୀବନ ସହ ଜୁଝି ହେଉଥିବା ମଣିଷ । ଦୁର୍ଗମ ଅଂଚଳର ଭୌଗଳିକ ସ୍ଥିତି ଓ ପୋଲିସର ଅସହାୟତାର ସୁଯୋଗ ନେଇ ବିଚ୍ଛିନ୍ନାଂଚଳକୁ ନିଜର ମୁକ୍ତାଂଚଳ ଭାବେ ଗ୍ରହଣ କରି ନେଇଛି ମାଓ ସଂଗଠନ । କେବେ ମାଓ ମୁକ୍ତ ହବ ବୁଡି ଅଂଚଳ ଓ କେବେ ବିକାଶର ସ୍ୱାଦ ଚାଖିବେ ସେଠାକାର ଅଗଣିତ ଜନତା, ତାହା କୁ ହିଁ ଅପେକ୍ଷା ।