ବିରତି ପରେ ବଢ଼ିଲା ବିବାଦ: ମଣ୍ଡି-ଟୋକନ୍ ଟେନସନ୍ ନେଇ ପ୍ରତିବାଦ କଲେ ଚାଷୀ, କେବେ ହେବ ସମାଧାନ?

145

କନକ ବ୍ୟୁରୋ: କିଛି ଦିନର ବିରତି ପରେ ପୁଣି ବଢ଼ିଲା ମଣ୍ଡି ବିବାଦ । କେଉଁଠି ଟୋକନ୍ ପାଇଁ ଟେନସନ୍ ତ ପୁଣି କେଉଁଠି ରାସ୍ତା ଉପରେ ଗଦା ହୋଇଛି ବସ୍ତାବସ୍ତା ଧାନ । ତେବେ ଟୋକନ୍ ଟେନସନ୍ ଉପରେ ଯବନିକା ପଡ଼ିଥିବାବେଳେ ପୁଣି ସମ୍ବଲପୁରରେ କୁହୁଳିଛି ଟୋକନ ତାତି । ମଣ୍ଡିରେ ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ ବ୍ୟବସ୍ଥାର ଉଛେଦ ଓ କଟନି-ଛଟନିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ବହୁସଂଖ୍ୟାରେ ଚାଷୀ । ସମ୍ବଲପୁର ବରେଇପାଲିରେ ରାସ୍ତା ଉପରେ ଧାନଗାଡିକୁ ରଖି ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉପରେ ପାଶ୍ୱର୍ରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି ।

ତେବେ ଚାଷୀଙ୍କ ଅଭିଯୋଗ ମୁତାବକ ପୂର୍ବରୁ ମଣ୍ଡି ଖୋଲିବାରେ ବିଳମ୍ବ ଓ ଟୋକନ ବ୍ୟବସ୍ଥାକୁ ନେଇ ଜୋରଦାର ପ୍ରତିବାଦ କରିଥିଲେ ଯାହାକୁ ନେଇ ମନ୍ତ୍ରୀ ଆନ୍ଦୋଳରତ ଚାଷୀଙ୍କ ପାଖକୁ ଯାଇ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ସେମାନେ ଓହରିଥିଲେ । ହେଲେ ମଣ୍ଡିରେ ଧାନ ବିକ୍ରି ବେଳେ ପୁଣି କଟନି ଛଟନି ଶିକାର ହେଉଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ତେଣୁ ଏହାକୁ ବିରୋଧ କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମ୍ବଲପୁରର ଚାଷୀ ।

ସେପଟେ ମଣ୍ଡି ବିବାଦର ନିଆଁ କୋଣାର୍କରେ ମଧ୍ୟ କୁହୁଳୁଥିବାର ଦେଖିବାକୁ ମିଳିଛି । ଏଠି ଟୋକନ୍ ଟେନସନ୍ ନଥିଲେ ବି ମଣ୍ଡି ଖୋଲୁନଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ କୋଣାର୍କ ରାସ୍ତା ଉପରେ ଗଦା ହୋଇ ରହିଛି କୁଇଂଟାଲ କୁଇଂଟାଲ ଧାନ । ଶୀତ କାକରରେ ଖୋଲା ଆକାଶ ତଳେ ରାସ୍ତାରେ ପଡ଼ି ରହିଛି ଚାଷୀଙ୍କ ପରିଶ୍ରମ । ହେଲେ ଯଦି ବର୍ଷା ହୁଏ ତେବେ ଅମଳ ଧାନ ସବୁ ନଷ୍ଟ ହୋଇଯିବ । ମଣ୍ଡି ଖୋଲିବା ନେଇ ସମବାୟ ସମିତି ଓ ଗୋପ ବ୍ଲକ ଯୋଗାଣ ବିଭାଗ ନିରୀକ୍ଷକଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ଶାଗ ମାଛ ଦରରେ କଷ୍ଟ ଉପାର୍ଜିତ ଧାନକୁ ଚାଷୀମାନେ ବିକ୍ରିକରୁଥିବା ଦେଖିବାକୁ ମିଳିଛି ।