ହଜିଗଲା ମାନବିକତା ! ମୃତ୍ୟୁର ଦୁଇଦିନ ପରେ ବି ମାଲକାନଗିରି ନୂଆଗୁଡାରେ ଶବକୁ ମିଳିଲାନି କାନ୍ଧ

52

କନକ ବ୍ୟୁରୋ : ହଜିଗଲା ମାନବିକତା । ମିଳିଲାନି ଚାରି କାନ୍ଧ । ଦୁଇ ଦିନ ଧରି ପଡି ରହିଲା ମୃତଦେହ । ଏପରି ଅମାନବୀୟ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗୋବିନ୍ଦପାଲି ପଂଚାୟତ ନୂଆଗୁଡା ଗାଁରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ମଶାଣି ନେବାକୁ କେହି ସହାୟତା କରିନଥିଲେ । ପେଟ ପାଟଣା ପାଇଁ ବୃଦ୍ଧ ଜଣକ ନର୍ଦ୍ଦମା ସଫା ସହ ଶବ ଦାହ କାମ କରୁଥିବାରୁ ତାଙ୍କୁ ବାସନ୍ଦ କରିଥିଲେ ଗ୍ରାମବାସୀ । ବୃଦ୍ଧଙ୍କ ପୁଅ ମଧ୍ୟ କିଛି ବର୍ଷ ତଳୁ ଆରପାରିକୁ ଚାଲି ଯାଇଥିଲେ ।

ତେବେ ମୃତ୍ୟୁ ପରେ ବୃଦ୍ଧଙ୍କ ନାତି ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ମୃତଦେହକୁ ଶ୍ମସାନକୁ ନେବାପାଇଁ ଗାଁ ଲୋକେ ମନା କରିଥିଲେ । ଖାଲି ସେତିକି ନୁହେଁ, ଗାଁ ମଶାଣିରେ ବୃଦ୍ଧଙ୍କ ଶବଦାହ ପାଇଁ ଜାଗା ଦେବାକୁ ମନା କରିଥିଲେ । ମୃତଦେହକୁ ଶ୍ମସାନ ନେବା ପାଇଁ ପୁରୀରୁ ଅଭଡା ଆଣିବା ସହ ୩ ହଜାର ଟଙ୍କା ଜରିମାନା ଦାବିରେ ଅଡି ବସିଥିଲେ ଗ୍ରାମବାସୀ । ତେବେ ଶେଷରେ ୱାର୍ଡମେମ୍ବରଙ୍କ ବୁଝାସୁଝା ପରେ ଘଟଣାର ସମାଧାନ ହୋଇଥିବା ଜଣାପଡିଛି ।