ବଢିଲା ଏନଡିଏର ଶକ୍ତି । ମେଣ୍ଟରେ ସାମିଲ ହେଲା ଦେବେଗୌଡାଙ୍କ ଦଳ ଜେଡିଏସ୍

307

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । କଂଗ୍ରେସକୁ ଚ୍ୟାଲେଞ୍ଜ ଦେବାକୁ ଏନଡିଏ ତରଫରୁ ଗୁରୁବାର ଦିନ ଜନତା ଦଳ ସେକୁଲାର ବା ଜେଡିଏସକୁ ମେଣ୍ଟରେ ସାମିଲ କରିଛି । ଦିଲ୍ଲୀରେ ଜେଡିଏସ ନେତା ଏଚ ଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହାପରେ ଜେଡିଏସକୁ ଏନଡିଏ ମେଣ୍ଟରେ ସାମିଲ କରାଯାଉଛି । ଏହା ପୂର୍ବରୁ ମଧ୍ୟ ବିଜେପି ଓ ଜେଡିଏସ ମଧ୍ୟରେ ମେଣ୍ଟ ଥିଲା । ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଜେଡିଏସ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ଲଢିଥିଲା । ହେଲେ କଂଗ୍ରେସ ଜେଡିଏସ ଓ ବିଜେପି ଉଭୟଙ୍କୁ ଝଟକା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ଜେଡିଏସ ଓ ବିଜେପି ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

ଯଦି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିବା ତେବେ କର୍ଣ୍ଣାଟକରେ ଜେଡିଏସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ହେଲେ ହାସନ ଆସନରୁ ବିଜୟୀ ହୋଇଥିବା ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେବତ୍ରାଙ୍କ ସଂସଦ ପଦକୁ ରଦ୍ଦ କରିଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । କୋର୍ଟ କହିଥିଲେ କି ପ୍ରଜ୍ୱଳ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଠିକ୍ ନଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ କରାଗଲା । ଏବେ କର୍ଣ୍ଣାଟକରେ ଜେଡିଏସ ପାଖରେ କୌଣସି ଲୋକସଭା ସାଂସଦ ପଦ ନାହିଁ ।

୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସକୁ ୯.୬୭ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ଦଳ । ୨୦୨୩ ବିଧାନସଭା ନିର୍ବାଚନରେ ଜେଡିଏସ ଟିକେଟରୁ ୧୯ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ଭୋଟ ପ୍ରତିଶତ ବୃଦ୍ଧିପାଇ ୧୩.୨୯ ପ୍ରତିଶତରେ ପହଂଚିଥିଲା ।