ଟଙ୍କା ପାଇଁ ଟେନସନର ଲମ୍ବା ଲାଇନ୍ ! ଡିପୋଜିଟ୍ ଓ ବଦଳ ପାଇଁ ବ୍ୟାଙ୍କରେ ଭିଡ

21

କନକ ବ୍ୟୁରୋ : ଟଙ୍କା ପାଇଁ ଟେନସନ୍ । ନୀତି ନିୟମର ଲମ୍ବା ଲାଇନ୍ । ସମୟ ପୂର୍ବରୁ ପରିଚୟ ପତ୍ର ଧରି ବ୍ୟାଙ୍କ୍ ଆଗରେ ଭିଡ । ଆଉ କର୍ମଚାରୀଙ୍କ ଠାରୁ ଫର୍ମ ନେଇ ଘଂଟା ଘଂଟାର ଅପେକ୍ଷା । କିଏ ଘରେ ସଂଚିଥିବା ଟଙ୍କା ଡିପୋଜିଟ୍ କରୁଚି ତ କିଏ ପୁଣି ପୁରୁଣା ନୋଟକୁ ବଦଳାଇ ନୂଆ ନୋଟ୍ ନେଉଛି । ଗାଁ ରୁ ସହର । ବ୍ୟସ୍ତ ଓ ଚିନ୍ତାର ଭିଡ । ଏସବୁ ଭିତରେ ଆଜି ଲୋକଙ୍କ ହାତକୁ ଆସିଛି ୨ ହଜାର ଟଙ୍କିଆ ନୋଟ୍ । ପ୍ରଥମ ଦିନରେ ନୂଆ ନୋଟ୍ ଦେଖି ଲୋକଙ୍କ ମନରେ ଯେମିତି ଲଟେରୀ ଫୁଟିବାର ଖୁସି ।

ସେପଟେ ରିଜର୍ଭ ବ୍ୟାଙ୍କରେ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଟଙ୍କା ଅଦଳବଦଳ ନେଇ ଥିବା ଡେଡଲାଇନକୁ କେନ୍ଦ୍ର ସରକାର ବଢାଇ ଦେଇଛନ୍ତି । ନଭେମ୍ବର ୨୪ ଯାଏ, ଦୈନିକ ୪ ହଜାର ଟଙ୍କା ବଦଳାଇ ପାରିବେ । ଯଦିଓ ପୁରୁଣା ନୋଟ୍ ଡିପୋଜିଟ୍ ପାଇଁ ଡିସେମ୍ବର ୩୦ ଯାଏଁ ଅବଧି ରହିଛି , ତଥାପି କ୍ୟାସଲେସ୍ ଟ୍ରାନଜାକସନ୍ ଠାରୁ ଦୂରରେ ଥିବା ଲୋକେ ଖୁବ୍ ଚିନ୍ତାରେ । କାରଣ ଟଙ୍କା ନଥିଲେ କରି ପାରୁନାହାନ୍ତି ନିତିଦିନିଆ କିଣାବିକା । ସେପଟେ ପୋଷ୍ଟ ଅଫିସରେ ବି ଲମ୍ବା ଲାଇନ୍ । ତେବେ କିଛି ପୋଷ୍ଟ୍ ଅଫିସରେ ଟଙ୍କା ମହଜୁଦ ନଥିବାରୁ, ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ଖୁଚୁରା ନଥିବାରୁ ଖୁଚୁରା ବଜାର ଖାଁ ଖାଁ । ଛୋଟମୋଟ ଦୋକାନରେ ନେଉ ନାହାଁନ୍ତି ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ । ତେଣୁ ବେପାର ପୁରା ମାନ୍ଦା । ଏସବୁ ଭିତରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି, ମାର୍କେଟକୁ ନୂଆ ରୂପରେ ପୁଣି ଆସିବ ହଜାରେ ଟଙ୍କିଆ ନୋଟ୍ ।

ଆଜି ବଦଳ ଟଙ୍କା ବାବଦକୁ ୪ ହଜାର ଟଙ୍କା ମିଳିଛି । ଆସନ୍ତା କାଲି ଠାରୁ ଏଟିଏମ୍ ଖୋଲିବ । ପ୍ରତିଦିନ ଜଣକା ୨ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ୧୯ ତାରିଖ ପରେ ଦୈନିକ ୪ ହଜାର ଟଙ୍କା ଉଠାଇ ପାରିବେ । ହେଲେ ସପ୍ତାହକୁ ଜଣକା ୨୦ ଟଙ୍କା ଉଠାଇ ପାରିବେ ।

ଏହା ସହ ଦେଖନ୍ତୁ ଆତଙ୍କିତ କଳାଟଙ୍କା ମହଜୁଦକାରୀ : ପୋଡିଲେ ବସ୍ତା ବସ୍ତା ଟଙ୍କାର ନୋଟ