ତେଜୁଛି ରତ୍ନଭଣ୍ଡାର ଖୋଲିବା ଦାବି: ଏପଟେ ଆଇନ ମନ୍ତ୍ରୀଙ୍କ ଅଜବ ଯୁକ୍ତି, କହିଲେ ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଜାଣିନାହାନ୍ତି

224

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁ ନାହାଁନ୍ତି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ଦାୟର କରିଛନ୍ତି । ହେଲେ ଏହାକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ । ସେ କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ । ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ ରାଜ୍ୟ ସରକାର ତା ଉପରେ ବିଚାର ବିମର୍ଶ କରି ପଦକ୍ଷେପ ନେବେ ।

ରତ୍ନଭଣ୍ଡାର ଖୋଲିବା ଓ ଚାବି ହଜିବା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଯାଇଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । କିନ୍ତୁ ରତ୍ନଭଣ୍ଡାରର ଚାବି ହଜିଛି କି ନାହିଁ, ଜାଣିନାହାନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଏପରି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ସମୀର ମହାନ୍ତି ।

କାହିଁକି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ହାଇକୋର୍ଟରେ ଏ ନେଇ ସେ ଜନସ୍ୱାର୍ଥ ମାମଲା ଦାୟର କରିବା ପରେ ସେ କହିଛନ୍ତି,
ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ
କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ କରାଯାଉ
ରତ୍ନଭଣ୍ଡାର ଚାବି କିପରି ହଜିଲା ସିବିଆଇ ତଦନ୍ତ ହେଉ

କଂଗ୍ରେସ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି । ଏ ନେଇ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ ରାଜ୍ୟ ସରକାର ବିଚାର ବିମର୍ଶ କରି ପଦକ୍ଷେପ ନେବେ । ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ପୁରୀ ଗଜପତି ମତ ଦେଇଥିବା ବେଳେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବିରୋଧୀ ଦଳ ପକ୍ଷରୁ ଦାବି ହୋଇ ଆସୁଛି ।