ତେଲେଙ୍ଗାନାରେ ବିଶ୍ୱର ସବୁଠାରୁ ବଡ ମନ୍ଦିର: କଳା ଗ୍ରାନାଇଟ ପଥରରେ ତିଆରି ହୋଇଛି, ଲାଗିଛି ୧୪୦ କେଜି ସୁନା

339

କନକ ବ୍ୟୁରୋ: ଆମ ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଯାହାର ଇତିହାସ ବହୁତ ପୁରୁଣା । ଆମେ ଆଜି ଆପଣଙ୍କ ସେମିତି ଏକ ମନ୍ଦିର ବିଷୟରେ କହିବୁ ଯାହାର ଇତିହାସ ହଜାର ବର୍ଷର ପୁରୁଣା । ଆଉ ଯାହାକୁ ତିଆରି କରିବାକୁ ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଯାହାକି ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ ମନ୍ଦିର ଭାବେ ଠିଆ ହୋଇଛି । ଏହାସହ ମନ୍ଦିରରେ ୧୪୦ କିଲୋ ସୁନା ବ୍ୟବହାର ହୋଇଛି । ଯେଉଁଥିରୁ କେବଳ ୧୨୫ କିଲୋ ସୁନା ଗର୍ଭଗୃହସ୍ଥ ଗମ୍ବୁଜରେ ବ୍ୟବହାର ହୋଇଛି ।

ତେଲେଙ୍ଗାନାରେ ନିର୍ମିତ ହୋଇଥିବା ଲକ୍ଷ୍ମୀ ନୃସିଂହଙ୍କ ଏହି ଭବ୍ୟ ମନ୍ଦିରକୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଉଦଘାଟନ କରିଛନ୍ତି । ଏହାକୁ ବର୍ତ୍ତମାନ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ଖୋଲିଦିଆଯାଇଛି । ଗତ ଶହେ ବର୍ଷ ମଧ୍ୟରେ କଳା ଗ୍ରାନାଇଟ ପଥରରେ ତିଆରି ହୋଇଥିବା ଏହା ବିଶ୍ୱର ସବୁଠାରୁ ବଡ ମନ୍ଦିର । ଏହା ସୌନ୍ଦର୍ଯ୍ୟରେ ବଡବଡ ମହଲକୁ ମଧ୍ୟ ଫିକା କରିଦେବ । ଏଠାରେ କଳା ଗ୍ରାନାଇଟ ପଥରକୁ ଏଭଳି ଭାବେ ଲଗାଯାଇଛି ଯାହା ହଜାରେ ବର୍ଷ ପର୍ଯ୍ୟନ୍ତ କୌଣସି କ୍ଷତି ହେବ ନାହିଁ ।

ତେଲେଙ୍ଗାନାର ୟଦାଦ୍ରି ଭୁବନଗିରି ଜିଲ୍ଲାରେ ଥିବା ଭଗବାନ ନୃସିଂହଙ୍କ ଏହି ମନ୍ଦିର ହଜାରେ ବର୍ଷ ପୁରୁଣା । ୫୧୦ ଫୁଟ ଉଚ୍ଚ ପାହାଡରେ ଭଗବାନ ନୃସିଂହ ବିରାଜମାନ କରିଛନ୍ତି । ଆନ୍ଧ୍ରପ୍ରଦେଶଠାରୁ ତେଲେଙ୍ଗାନା ଅଲଗା ହେବା ପରେ ସରକାର ଏହି ମନ୍ଦିରକୁ ଭବ୍ୟ ବନାଇବାକୁ ବିଚାର କରିଥିଲେ । ଆନ୍ଧ୍ର ଓ ତାମିଲନାଡୁର ୫୦୦ ମୂର୍ତ୍ତିକାରଙ୍କୁ ଏହି ମନ୍ଦିର କାମରେ ନିୟୋଜିତ କରାଯାଇଥିଲା । ଏମାନେ ୪ ବର୍ଷ ପର୍ଯ୍ୟନ୍ତ ରହି ମନ୍ଦିର ନିର୍ମାଣ କରିଥିଲେ । ୨୦୧୬ରୁ ମନ୍ଦିର କାମ ଆରମ୍ଭ ହୋଇଥିଲା ।

ଏହି ମନ୍ଦିର ନିର୍ମାଣରେ ଆଦୌ ସିମେଣ୍ଟର ବ୍ୟବହାର କରାଯାଇନାହିଁ । ପଥର ଯୋଡିବା ପାଇଁ ବାଲି ସିମେଣ୍ଟ ବଦଳରେ ଚୂନ ପଥର ବ୍ୟବହାର କରାଯାଇଥିଲା । ଗୁଡ, ଘିକୁଆଁରୀ, ଚୂନ, ନଡିଆକତା ଆଦିରୁ ପ୍ରସ୍ତୁତ ୧୦ ହଜାର ମେଟ୍ରିକ ଟନ ଲାଇମ ମୋର୍ଟାର ଲଗାଯାଇଥିଲା ପରୀକ୍ଷାଗାରରେ ଏହାର ଅସ୍ତିତ୍ୱ ପରୀକ୍ଷା କରାଯାଇଥିଲା । ଏହା ସିମେଣ୍ଟ ଅପେକ୍ଷା ଅନେକ ଗୁଣ ମଜବୁତ ଓ ଖର୍ଚ୍ଚ ୪୦ ଗୁଣ କମ ବୋଲି ଜଣାପଡିଛି । ମନ୍ଦିର ଭିତରେ ପାହଚ ମଧ୍ୟ ପଥରରେ ନିର୍ମାଣ କରାଯାଇଛି । କଳା ଗ୍ରାନାଇଟ ପଥର ଯୋଗୁଁ ଏହା ମନ୍ଦିରକୁ ଶୀତ ଦିନେ ଗରମ ଓ ଗରମ ଦିନେ ଥଣ୍ଡା ରଖିବ ।