ଦିଲ୍ଳୀ ଦରବାରରେ ବି ଦେଖିବାକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କ୍ରେଜ୍ । ରାଷ୍ଟ୍ରପତି ନିର୍ବାଚନ ନେଇ ଜାଣନ୍ତୁ କ’ଣ କହିଲେ ନବୀନ ।

442

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ ବିଜେଡି । ଆଉ ଏଭଳି ଏକ ପରିସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଦିଲ୍ଲୀରେ ସାମ୍ବାଦିକମାନେ ଯେତେବେଳେ ନବୀନଙ୍କୁ ଏବିଷୟରେ ପଚାରିଥିଲେ, ନବୀନ କହିଥିଲେ, ଏବେ ସମୟ ଅଛି, ଏବଂ ସେ ବିଷୟରେ ବିଜେଡି ନିଷ୍ପତି ନେଇନାହିଁ । ଦିଲ୍ଲୀରେ ନବୀନଙ୍କୁ ନିଜ ଦଳ ତଥା ଅନ୍ୟ ରାଜନୈତିକ ଦଳର ସଦସ୍ୟମାନେ ମଧ୍ୟ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଥିଲା ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ କେତେ, ତାହା ଦିଲ୍ଲୀର ଦୃଶ୍ୟରୁ ଅନୁମାନ କରାଯାଇପାରେ । ନବୀନ ଯେତେବେଳେ ସଂସଦ ଭବନ ନିକଟରେ ପହଞ୍ଚିଥିଲେ, ସେତେବେଳେ ବିଜେଡି ସାଂସଦ ମାନେ ନବୀନଙ୍କୁ ସ୍ୱାଗତ କରିବା ସହ ଅନ୍ୟ ରାଜ୍ୟର ନେତାମାନେ ବି ଭେଟି ସଂସଦ ଭବନକୁ ପାଛୋଟି ନେଇଥିଲେ । ନବୀନ ବି ବେଶ ହସ ହସ ମୁହଁରେ ସଂସଦ ଭବନ ଭିତରକୁ ଯାଇଥିଲେ । ପାର୍ଲାମେଣ୍ଟ ଭିତରେ ନବୀନଙ୍କୁ ଆସି ଭେଟିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଉ ଜାତୀୟ ସ୍ତରରେ ନବୀନଙ୍କ ଏହି ପତିଆରା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଜାତୀୟ ସ୍ତରରେ ଅଙ୍କକଷା ଆରମ୍ଭ ହୋଇଯାଇଛି । କେନ୍ଦ୍ରରେ ଶାସନରେ ଥିବା ଏନଡିଏ ନିକଟରେ ରାଷ୍ଟ୍ରପତିି ପଦ ପାଇଁ ଆବଶ୍ୟକ ହେଉଥିବା ଭୋଟ ନଥିବାରୁ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି କୁହାଯାଉଛି । ତେବେ ଏହି ଗସ୍ତ ସମୟରେ କାହାକୁ ଭେଟିବାର କାର୍ଯ୍ୟକ୍ରମ ନଥିବା ସ୍ପଷ୍ଟ କରିଛନ୍ତି ନବୀନ । ଏଥିସହ ସମ୍ଭାବ୍ୟ ତୃତୀୟ ମେଣ୍ଟରେ ସାମିଲ ହେବେ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ବିକାଶକୁ ସେ ଗୁରୁତ୍ୱ ଦିଅନ୍ତି ।

ପାଲାମେଣ୍ଟରେ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି । ଏଥିସହ ସଂସଦରେ କେମିତି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଇବେ ସେନେଇ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅନ୍ୟ ସାଂସଦ ମାନଙ୍କ ସହ ଆଲୋଚନା କରିଥିଲେ ବି ପ୍ରମିଳା ବିଶୋଇଙ୍କ ସହ ତାଙ୍କ ଫଟୋ ଚର୍ଚ୍ଚାର ବିଷୟ ହୋଇଛି । ଜଣେ ସାଧାରଣ ମହିଳାରୁ ସାଂସଦ ବନିଥିବା ପ୍ରମିଳା ବିଶୋୟୀ ମୁଖ୍ୟମନ୍ତ୍ରୀଙ୍କ ଗାଲରେ ହାତ ମାରି ଆର୍ଶୀବାଦ ସୂଚକ ମୁଦ୍ରାରେ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।