ଆକ୍ରମଣ କମାଇବ ଋଷ, ତୁର୍କୀରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ମିଳିଲା ସଂକେତ

135

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ୩୧ ଦିନ ଅତିକ୍ରମ କରିଥିଲେ ବି ଯୁଦ୍ଧ କିଭଳି ବନ୍ଦ କରାଯିବ ତାହା ଉପରେ ଉଭୟ ଦେଶ ନିଷ୍ପତ୍ତି ନେଇପାରି ନାହାଁନ୍ତି । ହେଲେ ଆଜି (ମଙ୍ଗଳବାର) ଋଷ ଓ ୟୁକ୍ରେନ ମଧ୍ୟରେ ତୁର୍କୀରେ ହୋଇଥିବା ଆଲୋଚନା ପରେ ଯୁଦ୍ଧ ଥମିବା ଆଶଙ୍କା କରାଯାଉଛି । ତୁର୍କୀର ଇସ୍ତାନବୁଲ ଠାରେ ଅନୁଷ୍ଠିତ ହୋଇଥିବା ବୈଠକ ୩ ଘଂଟା ଧରି ଚାଲିଥିଲା । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ର ବିରତି ନେଇ ସହମତି ହୋଇଥିବା କୁହାଯାଇଛି । ଏନେଇ ଋଷର ପ୍ରତିନିଧି ମଣ୍ଡଳ କହିଛି କି କଥାବାର୍ତ୍ତା ସକରାତ୍ମକ ରହିଛି । ଏହାସହ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଋଷ ପ୍ରତିନିଧିମଣ୍ଡଳ ସୂଚନା ଦେଇଛି ।

କହିରଖୁ କି, ଋଷ ଚାହୁଁଛି କି ୟୁକ୍ରେନ ନାଟୋ ସହ ନମିଶୁ ଓ ଡୋନବାସ ଅଞ୍ଚଳକୁ ସ୍ୱାଧୀନ ଦେଶ ଭାବେ ୟୁକ୍ରେନ ଘୋଷଣା କରୁ । ଆଜିର ବୈଠକ ପରେ ଏହା ସ୍ପଷ୍ଟ ହୋଇଛି କି ୟୁକ୍ରେନ ଋଷର ଏହି ଦୁଇଟି ଦାବି ମାନି ସାରିଛି । ଏହାସହ ୟୁକ୍ରେନ ଋଷ ପାଖରେ ବି ଗୋଟିଏ ଦାବି ରଖିଛି । ୟୁକ୍ରେନ କହିଛି କି ୮ ଟି ଦେଶ ତରଫରୁ ୟୁକ୍ରେନ ପ୍ରତି ରହିଥିବା ବିପଦର ସୁରକ୍ଷା ଗ୍ୟାରେଣ୍ଟି ଋଷ ଦେଉ । ନ୍ୟୁଜ ଏଜେନ୍ସି ଏଏଫବି ମୁତାବକ ଆଜିର ଆଲୋଚନା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସିଧା ସଳଖ ଆଲୋଚନା ହୋଇପାରେ ।