କଠୁଆ ମାମଲାରେ କୋର୍ଟରୁ ଆସିଲା କଠୋର ରାୟ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଆଜୀବନ ଓ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ ।

178

ଗତବର୍ଷ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ସାମ୍ନାକୁ ଆସିଛି । ବଞ୍ଜାରା ସଂପ୍ରଦାୟର ୮ ବର୍ଷିୟା ନାବାଳିକା ସହ ଦୁଷ୍କର୍ମ ମାମଲାର ଶୁଣାଣି କରି ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ପଠାନକୋଟ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲା । ଏପରିକି ଏହି ୬ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ ଓ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି ।

ଘଟଣାର ମୁଖ୍ୟ ଅଭିଯୁକ୍ତ ସାଞ୍ଚି ରାମ , ଦୀପକ ଖଜୁରିଆ, ଓ ପରବେଶଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ତିଲକ ରାଜ,ଆନନ୍ଦ ଦତ୍ତା ଓ ସୁରେନ୍ଦ୍ର କୁମାରଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଛି । ତେବେ ୬ ଜଣଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଜଣେ ଅଭିଯୁକ୍ତ ବିଶାଳଙ୍କୁ ଖଲାସ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୩ ପୋଲିସ ଅଧିକାରୀଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଛି ।

ଏହି ମାମଲାର ଶୁଣାଣି ବନ୍ଦ କୋଠରୀରେ ଜୁନ ୩ରେ ଶେଷ ହୋଇଥିଲା । ମାତ୍ର ଫଇସଲାକୁ ଅପେକ୍ଷା କରାଯାଇଥିଲା। ଶୁଣାଣି ବେଳେ ଜିଲ୍ଲା ଦୌରାଜଜ ତେଜିନ୍ଦର ସିଂହ ଘୋଷଣା କରିଥିଲେ ଯେ, ଜୁନ ୧୦ରେ ଫଇସଲା ଶୁଣାଯାଇପାରେ । ପୁଲିସ୍ ଅଧିକାରୀ କହିଛନ୍ତି, କଠୁଆ ରାୟ ଆସିବା ପୂର୍ବରୁ ଅଦାଲତ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୧୫ ପୃଷ୍ଠା ସମ୍ବଳିତ ଅଭିଯୋଗ ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ ୮ ବର୍ଷୀୟା ନାବାଳିକାକୁ ଅପହରଣ କରାଯାଇଥିଲା । ନାବାଳିକାକୁ ଏକ ମନ୍ଦିର ନିକଟକୁ ନିଆଯାଇ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଥିଲା । ତାକୁ ୪ ଦିନ ଯାଏଁ ଅଚେତ ଅବସ୍ଥାରେ ରଖାଯିବା ପରେ ହତ୍ୟା କରାଯାଇଥିଲା ।

ଗତବର୍ଷ ହୋଇଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା । ଜଣେ ୮ ବର୍ଷର ଝିଅ ସହ ଏଭଳି ଅମାନବୀୟ କାଣ୍ଡ ପରେ ପୂରା ଦେଶରୁ ସ୍ୱର ଉଠିଥିଲା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ।