କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ବିଜେପି ଓ ଜେଡିଏସର ବିଦ୍ରୋହୀ ନେତାଙ୍କୁ ଟିକେଟ୍

150

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଉପରେ ଭରଶା କରି ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପାଇଁ କିଛି ତରିକା ଆପଣାଇଛି । ଦଳ ତରଫରୁ ଏଥର ପ୍ରାର୍ଥୀ ଚୟନକୁ ପ୍ରାଧାନ୍ୟ ଦିଆଯାଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୪୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି  । ଏହାକୁ ମିଶାଇ କଂଗ୍ରେସ ଏପର୍ଯ୍ୟନ୍ତ ୧୬୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ।

ସେପଟେ ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଗୋପାଳ କୃଷ୍ଣ, ଓ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ୨ଜଣ ଏମଏଲସିଙ୍କୁ କଂଗ୍ରେସ ତରଫରୁ ଟିକେଟ ଦିଆଯାଇଛି । ଏହା ବ୍ୟତୀତ ଜେଡିଏସ ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଶ୍ରୀନିବାସଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି । ୨୨୪ ବିଧାନସଭା ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ପାଇଁ ମେ’୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।