ଖାଲି ପଡିଛି ୫ ହଜାର ବିଚାରପତି ପଦବୀ : ନିଯୁକ୍ତିକୁ ନେଇ ମୁହାଁମୁହିଁ କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତି
କନକ ବ୍ୟୁରୋ : ବିଚାରପତି ନିଯୁକ୍ତିକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତି । ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ ଟିଏସ ଠାକୁର କହିଛନ୍ତି ଦେଶର ହାଇକୋର୍ଟରେ ୫ଶହ ବିଚାରପତି ପଦବୀ ଖାଲି ପଡିଛି । କୋର୍ଟ ରୁମ ଫାଙ୍କା ପଡିଥିବା ବେଳେ ବିଚାରପତି ନାହାନ୍ତି । ଆଶା କରାଯାଉଛି ସରକାର ଏ ଦିଗରେ ବିଚାର କରିବେ । ଅଲ ଇଣ୍ଡିଆ କନଫରେନ୍ସ ଅଫ ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭରେ ଯୋଗ ଦେଇ ଏହା କହିଛନ୍ତି ଚିଫ ଜଷ୍ଟିସ ଜଷ୍ଟିସ ଠାକୁର ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ବିଚାରପତି ନିଯୁକ୍ତି ହୋଇଛି ହେଲେ ବଡ ସଂଖ୍ୟାରେ ଦିଆଯାଇ ଥିବା ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡିରହିଛି ବୋଲି ଟିଏସ ଠାକୁର କହିଛନ୍ତି । ଏଥିସହ ସେ ଟ୍ରିବ୍ୟୁନାଲ ଅବ୍ୟବସ୍ଥା ଦୋଷ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ଲଦିଛନ୍ତି । ସିଜେଆଇ କହିଛନ୍ତି, ସରକାର ଟ୍ରିବ୍ୟୁନାଲକୁ ସୁବିଧା ଯୋଗାଇ ଦେବାକୁ ଚାହୁଁ ନାହାନ୍ତି । ତେଣୁ ବହୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡିଛି ।
ନିଯୁକ୍ତିକୁ ନେଇ ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେ କହିଛନ୍ତି, ପ୍ରଧାନ ବିଚାରପତିଙ୍କୁ ସମ୍ମାନ ଜଣାଇ ତାଙ୍କ ମନ୍ତବ୍ୟ ସହ ସେ ଅରାଜି ହେଉଛନ୍ତି । କାରଣ ସରକାର ଚଳିତ ବର୍ଷ ସର୍ବାଧିକ ୧୨୦ ବିଚାରପପତି ନିଯୁକ୍ତି ଦେଇଛନ୍ତି ।
ଅନ୍ୟପଟେ ସିପିଆଇଏମ ନେତା ସୀତାରାମ ୟେଚୁରୀ ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଖାଲିଥିବା ବିଚାରପତି ପଦବୀକୁ ପୂରଣ କରାନଯାଇ ବିଚାର ପ୍ରକ୍ରିୟାକୁ ମଜାକ କରିଦିଆଯାଉଛି । ସରକାର ତୁରନ୍ତ ବିଚାରପତି ନିଯୁକ୍ତି କରି ଲୋକଙ୍କୁ ନ୍ୟାୟ ଦେବା ଉଚିତ ବୋଲି ୟେଚୁରୀ କହିଛନ୍ତି ।