ଅଭିନୟରୁ ରାଜନୀତି : ଜୟଲଳିତାଙ୍କ ଜୀବନଯାତ୍ରା ଉପରେ ଏକ ନଜର

62

କନକ ବ୍ୟୁରୋ : ଜୟ ଲଳିତାଙ୍କ ପୁରା ନାଁ ଥିଲା ଜୟଲଳିତା ଜୟରମଣ ଓରଫ୍ ପୁରାଚି ଥାଲିଭି । ସେ ୧୯୪୮ ଫେବୃଆରୀ ୨୪ ତାରିଖରେ ମହୀଶୁରର ମାଣ୍ଡ୍ୟାସ୍ଥିତ ମେଲୁକୋଟ୍ରେର ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନୃତ୍ୟକଳାରେ ବେଶ୍ ଦକ୍ଷ ଥିଲେ ।

ଜୟା ପ୍ରାଥମିକ ଜୀବନରେ ଫିଲ୍ମ ପ୍ରତି ଆକର୍ଷିତ ହୋଇ ୧୯୬୧ରେ ସେ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ତାମିଲ, ତେଲୁଗୁ, କନ୍ନଡ ଆଦି ଭାଷାରେ ସେ ପ୍ରାୟ ୧୪୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୬୫ ମସିହା ବେଳକୁ ଦକ୍ଷିଣର ସୁପରଷ୍ଟାର ଏମଜି ରାମଚନ୍ଦ୍ରନଙ୍କ ନାୟିକା ଭାବେ ଅଭିନୟ କରିଥିଲେ । ଏହି ଯୋଡି ୨୮ଟି ଫିଲ୍ମରେ କାମ କରି ସୁପରହିଟ୍ ଫିଲ୍ମ ସବୁ ଦେଇଥିଲୋ ଜୟା ୧୯୮୦ଯାଏଁ ଫିଲ୍ମରେ କାମ କରିଥିଲେ ।

୧୯୮୭ରେ ଏମ୍‌ଜିଆରଙ୍କ ମୃତ୍ୟୁ ତାମିଲନାଡ଼ୁ ରାଜନୀତି ଓ ବିଶେଷକରି ଏଆଇଏଡିଏମ୍‌କେରେ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା। ତେବେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଜୟା ନିଜକୁ ସାବ୍ୟସ୍ତ କରିଥିଲେ। ଫଳରେ ଦଳ ଏମ୍‌ଜିଆରଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନଙ୍କ ଗୋଷ୍ଠୀ ଓ ଜୟଲଳିତାଙ୍କ ଗୋଷ୍ଠୀ ଭାବେ ଦୁଇଭାଗରେ ବିଭାଜିତ ହୋଇଥିଲା।

ଅଭିନେତାରୁ ରାଜନେତା ସାଜିଥିବା ଏମଜିଆର ୧୯୭୭ ଯାଏଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ରହିଥିଲେ ଏବଂ ୧୯୮୨ରେ ଜୟା ଏମଜିଆରଙ୍କ ଦଳ ଏଆଇଏଡିଏମକେର ପ୍ରମୁଖ ସଦସ୍ୟ ହେଲେ । ୧୯୮୩ରେ ସେ ଦଳର ପ୍ରଚାର ଭାର ହାତକୁ ନେଇଥିଲେ । ୧୯୮୪ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

୧୯୮୭ରେ ଏମଜିଆରଙ୍କ ପରଲୋକ ଘଟିଥିଲା ଏବଂ ତାଙ୍କ ପରିବାର ଲୋକେ ଜୟଲଳିତାଙ୍କୁ ଅଣଦେଖା କଲେ । ଅନ୍ୟପଟେ ୧୯୮୯ରେ ଏଆଇଏଡିଏମକେ ନିର୍ବାଚନରେ ବିଫଳ ହୋଇଥିବା ବେଳେ ଜୟା ନିଜକୁ ଦଳର ନେତ୍ରୀ ଭାବେ ପ୍ରତିଷ୍ଠା କରିସାରିଥିଲେ ।

୧୯୯୧ରେ ସେ ପ୍ରଥମ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ସେ ୨୦୦୧, ୨୦୦୨, ୨୦୧୧ ଓ ୨୦୧୫ରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ତାଙ୍କ ରାଜନୈତିକ ଜୀବନ ମଧ୍ୟ ଉତଥାନ-ପତନ ଦେଇ ଗତି କରିଛି । ରଙ୍ଗୀନ ଟିଭି ସ୍କାମ, ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ସହ ଜେଲ ମଧ୍ୟ ଯିବାକୁ ପଡିଛି ।