ବାହାଘର ପାଲଟିଛି ଖବରର ଶିରୋନାମା ! ଜନାର୍ଦ୍ଦନ ରେଡ୍ଡୀଙ୍କ ଝିଅ ବାହାଘରକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା

53

କନକ ବ୍ୟୁରୋ :ଏମିତି ଏକ ବାହାଘର ଯାହା ପାଲଟିଛି ଖବରର ଶିରୋନାମା । କର୍ଣାଟକର ଜଣାଶୁଣା ରାଜନେତା ତଥା ମାଇନିଂ କିଙ୍ଗ୍ ଭାବେ ପରିଚିତ ଜନାର୍ଦ୍ଦନ ରେଡ୍ଡୀଙ୍କ ଝିଅ ବାହାଘରକୁ ନେଇ ଏବେ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା । କାରଣ ଏହି ବାହାଘରର ବଜେଟ୍ ହେଉଛି ୫୫୦ କୋଟି ଟଙ୍କା । ଏହି ୪୯ ବର୍ଷୀୟ ରାଜନେତାଙ୍କ ଝିଅ ବ୍ରହ୍ମାଣୀର ବାହାଘର ପାଇଁ ହୋଇଛି ସ୍ୱତନ୍ତ୍ର ତଥା ଭିନ୍ନ ଧରଣର ପ୍ରସ୍ତୁତି । ନିମନ୍ତ୍ରିତ ହୋଇଛନ୍ତି ଅନେକ ଭିଭିଆଇପି ।

ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଅନେକ ରାଜନେତା, ସେଲିବ୍ରିଟି ଆଉ ଶିଳ୍ପପତି । ବାହାଘର ପାଇଁ ନିର୍ମିତ ହୋଇଛି ବଡ ମନ୍ଦିର । ଜଣାଶୁଣା ମଡେଲ ମାନେ ଅତିଥିଙ୍କୁ ସ୍ୱାଗତ କରିବା ସହ ପାନୀୟରେ ଆପ୍ୟାୟିତ କରିବେ । ଅତିଥିମାନଙ୍କୁ ଭ୍ରମଣ କରାଇବା ପାଇଁ ରହିଛି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବଳଦ ଗାଡି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଖଣି ଦୁର୍ନୀତି ମାମଲାରେ ଜେଲରେ ଥିବା ଏହି ପୂର୍ବତନ ବିଜେପି ନେତା ଜନାର୍ଦ୍ଦନ ୫ ବର୍ଷ ପରେ ଜେଲରୁ ବାହାରିଛନ୍ତି ।

ଆଉ ଏବେ ଦେଶରେ କଳାଧନ ନେଇ ଜୋରଦାର ଧରପଗଡ ଚାଲିଥିବା ବେଳେ ଅନେକ ରାଜନେତାଙ୍କୁ ଏହି ବାହାଘରରେ ସାମିଲ ହେବା ପାଇଁ ସେମାନଙ୍କ ହାଇକମାଣ୍ଡ ମାନେ ବାରଣ କରିଛନ୍ତି । ତେବେ ଦଳୀୟ ନେତୃତ୍ୱଙ୍କ ବାରଣ ସତ୍ୱେ ଏହି ବାହାଘରରେ ସାମିଲ ହୋଇଛନ୍ତି କର୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ ବିଜେପିର ଅଧ୍ୟକ୍ଷ ବି.ଏସ.ୟେଦ୍ୟୁରପ୍ପା ।