ମତାନ୍ତର ସାଜୁଛି ମୃତ୍ୟୁ କାରଣ । କେବେ ସରିବ ଏ ଯୁଦ୍ଧର ବିଭୀଷିକା ? କୁଢ କୁଢ ଶବ ଦେଖି ସ୍ତବ୍ଦ ସାରା ପୃଥିବୀ

232

କନକ ବ୍ୟୁରୋ : ଯେତେବେଳେ ଦେଶ ମାନଙ୍କ ସମ୍ପର୍କରେ ଆସେ ତିକ୍ତତା ଏହା କେତେ ଭୟଙ୍କର ହୋଇପାରେ ଏହାର ଜ୍ୱଳନ୍ତ ଉଦାହରଣ ହେଇଛି ଇସ୍ରାଏଲ ଓ ପାଲେଷ୍ଟାଇନ । ଐତିହାସିକ ଶତୃତା, ମେଳ ଖାଉନଥିବା ଚିନ୍ତାଧାରା ଓ ରାଜନୈତିକା ସ୍ୱାର୍ଥର ଜାଲରେ ଫସିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ । ଲଗାତାର ୧୬ ଦିନ ହେଲାଣି ଚାଲିଛି ଇସ୍ରାଏଲ ଓ ହମାସର ଯୁଦ୍ଧ । ଇତି ମଧ୍ୟରେ ଗାଜା ଷ୍ଟ୍ରିପର ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ପରଠାରୁ କିଛି ଇସ୍ରାଏଲ ସପକ୍ଷବାଦୀ ରାଷ୍ଟ୍ର ଏବେ ଇସ୍ରାଏଲ ବିପକ୍ଷରେ ବାହାରିଲେଣି । ଇସ୍ରାଏଲ ଓ ହମାସର ଏହି ଘମାଘୋଟ ଯୁଦ୍ଧ ସମଗ୍ର ମଧ୍ୟ ପ୍ରାଚ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ସେପ୍ଟେମ୍ବର ୨୦୨୦ ମସିହା ୟୁଏଇ ଓ ବାହାରିନ୍ ଇସ୍ରାଏଲ ସହ ଅବ୍ରାହମ ବୁଝାମଣା ସ୍ୱାକ୍ଷର କରିଥିଲେ ଯାହା ଏମାନଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି କରିଥିଲା । ୟୁଏଇ ପରେ ଇସ୍ରାଏଲ, ସାଉଦି ଆରବ, ଅମେରିକା ଓ ମଧ୍ୟ ପ୍ରାଚ୍ୟର ଆରବୀୟ ରାଜ୍ୟ ଗୁଡ଼ିକ ସହ ସୁସମ୍ପର୍କ ସ୍ଥାପନ କରିବାର ଚେଷ୍ଟା ଜାରି ରଖିଥିଲା ହେଲେ ସାଉଦି ଆରବର ପତ୍ରକାର ଜମାଲ ଖାଶୋଜ୍ଜୀଙ୍କ ହତ୍ୟା ପରେ ଆମେରିକା ଓ ସାଉଦିର ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଯାହା ଫଳରେ ଇସ୍ରାଏଲର ସାଉଦ-ଆରବ ସହ ସମ୍ପର୍କରେ ମଧ୍ୟ ଭଟ୍ଟା ପଡିଥିଲା । ଇସଲାମ, ଇସାଇ ଓ ଇହୁଦୀ ତିନି ଧର୍ମଗୋଷ୍ଠୀ ପାଇଁ ଏହି ଆବ୍ରାହମ ଶବ୍ଦର ସ୍ୱତନ୍ତ୍ରତା ରହିଛି । ଏହାର ଅର୍ଥ ହେଉଛି ସହଯୋଗିତାର ଭାବନା । ଆରବ ଓ ଇସ୍ରାଏଲ ମଧ୍ୟରେ ଥିବା କଟୁତା ଦୂର କରି ଉଭୟ ଦେଶଭିତରେ ଅର୍ଥନୈତିକ, ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କରେ ଦୃଢତା ଆଣିବା ପାଇଁ ଆମେରିକା ଆବ୍ରାହମ ଚୁକ୍ତିକୁ ଆଗେଇ ନେବାକୁ ଚାହୁଁଥିଲା ।

ଚଳିତ ବର୍ଷ ଇସ୍ରାଏଲ ଓ ସାଉଦି ମଧ୍ୟରେ ହୋଇଥିବା ବୁଝାମଣା ଚୁକ୍ତିକୁ ନେଇ ଇସ୍ରାଏଲ ପ୍ରଧାନ ମନ୍ତ୍ରୀ ବେଞ୍ଜାମିନ୍ ନେଥାନେହ୍ୟୁ ଏହି ଚୁକ୍ତି, ମଧ୍ୟ-ପୂର୍ବୀୟ ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଅତି ଗରୁତ୍ୱପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରିଥିଲେ । ରିପୋର୍ଟ ହିସାବରେ ଇସ୍ରାଏଲ ସହ ସମ୍ପର୍କ ବଜାୟ ରଖିବା ପାଇଁ ସାଉଦି ଆରବ ଆମେରିକାଠାରୁ ସାହାଯ୍ୟ, ସୈନ୍ୟ ବଳ ଆଦି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲା । ହେଲେ ଏହି ସବୁକୁ ମାସେ ନ ପୁରୁଣୁ ଇସ୍ରାଏଲ-ହମାସର ଏହି ଆରମ୍ଭ ହୋଇଥିବା ଯୁଦ୍ଧ ସମ୍ପର୍କରେ ତିକ୍ତତା ବଢାଇ ଦେଇଛି ।

ଆବ୍ରାହମ ବୁଝାମଣା ପରେ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ସମ୍ପର୍କ ମଜବୁତ ହେବାରେ ଲାଗିଥିଲା । ହମାସର ଆକ୍ରମଣ ସମୟରେ ଅନ୍ୟ ମୁସଲିମ ରାଜ୍ୟ ସବୁ ପାଲେଷ୍ଟାଇନକୁ ସମର୍ଥନ କରିଥିବା ବେଳେ ବନ୍ଧୁତା ରକ୍ଷା କରି ବାହାରିନ ଓ ୟୁଏଇ ଇସ୍ରାଏଲ ପାଇଁ ସମର୍ଥନ ବାଢିଥିଲେ । ତେବେ ଏହି ସୁସମ୍ପର୍କ ଗଢିବାରେ ଆମେରିକାର ମଧ୍ୟ ଯଥେଷ୍ଟ ହାତ ରହିଥିଲା ହେଲେ ଅକ୍ଟୋବରର ଯୁଦ୍ଧ ଇସ୍ରାଏଲ ଓ ଆରବ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତାକୁ ମାଟିରେ ମିଶାଇ ଦେଇଛି । ଉଭୟ ଇସ୍ରାଏଲ ଓ ଗାଜାରେ ଭୟଙ୍କର ଆକ୍ରମଣ ଥମିବାର ନା ନେଉନାହିଁ । ବଢୁଥିବା ଶତୃତା ଓ ତିକ୍ତତାକୁ ଦେଖିଲେ, ଆମେରିକାର ଆରବ ଓ ଇହୁଦୀ ମାନଙ୍କୁ ନିକଟତର କରିବାର ପ୍ରଚେଷ୍ଟା ପୂର୍ଣ୍ଣ ବିଫଳଗାମି କହିଲେ ଦ୍ୱିଉକ୍ତି ହେବ ନାହିଁ । ହେଲେ ହମାସ ଠିକ ଏହିପରି ଘଡିସନ୍ଧି ମୂହୁର୍ତରେ କାହିଁକି ଆକ୍ରମଣ କଲା ଏ ପ୍ରଶ୍ନ ସବୁଠି ଉଙ୍କି ମାରୁଛି ଓ କଣ ଆରବ ରାଜ୍ୟ ସତରେ ଇସ୍ରାଏଲ ସହ ସମ୍ପର୍କ ରଖିବାକୁ ଅନିଚ୍ଛୁକ?

୧୯୬୭ ମସିହାରେ ଆରବ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ସବୁ ଆରବ ରାଜ୍ୟ ଏକଯୁଟ ହୋଇ ମଧ୍ୟ ଇସାଏଲ ଠାରୁ ପରାଜିତ ହୋଇଥିଲେ ଏହା ପରଠାରୁ ଦୁଇ ଦେଶ ଭିତରେ ସବୁବେଳେ ମତାନ୍ତର ଓ ଅଶାନ୍ତି ଦେଖା ଦେଇଛି । ଏପଟେ ଇରାନ ସହ ମଧ୍ୟ ଇସ୍ରାଏଲର ଅନେକ ଆଗରୁ ଅପଡ ରହିଛି । ଇରାନ କେବେ ଇସ୍ରାଏଲକୁ ସ୍ୱୀକୃତି ଦେଇ ନାହିଁ ଓ ଇସ୍ରାଏଲ ବି କେବେ ଇରାନର ଚିନ୍ତାଧାରା ସହମତ ହୁଏ ନାହିଁ ।
ଆକ୍ରମଣର ପ୍ରଥମାର୍ଦ୍ଧରେ ୟୁଏଇ ଓ ବାହାରିନ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ପରବର୍ତୀ ସମୟରେ ଇସ୍ରାଏଲର ଭୀଷଣ ପ୍ରତିଆକ୍ରମଣକୁ ଦେଖି ସେମାନେ ଏବେ ବିରୋଧ କରିବା ଆରମ୍ଭ କରିଛନ୍ତି । ହେଲେ ଗାଜାର ଆକ୍ରମଣ ପରେ ପଛଘୁନଂଚା ଦେବା ପଇଁ ନାରାଜ୍ ଇସ୍ରାଏଲ । ବର୍ତମାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଥାନେହ୍ୟୁ ଅପରେସନ୍ ଆଇରନ ସୋର୍ଡସ୍ ସାହାଯ୍ୟରେ ଯୁଦ୍ଧ ଘୋଷଣା କରି ଏହି ଅତର୍କିକ ଆକ୍ରମଣର ଉଚିତ୍ ପ୍ରତିଶୋଧ ନେବାପାଇଁ ଅନବରତ ଚେଷ୍ଟାରତ ।