ଚେନ୍ନାଇ ସୁପର କିଙ୍ଗସକୁ ବଡ ଝଟକା । ଆହତ ହୋଇ ଆଇପିଏଲରୁ ବାଦ୍ ପଡିଲେ ଏହି ଖେଳାଳି…

254

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲର ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି ଅଛି । ଏପରି ସମୟରେ ସବୁ ଦଳ ଏବେ ନିଜ ନିଜ ଖେଳାଳିଙ୍କ ଫିଟନେସକୁ ନେଇ ଚିନ୍ତାରେ ଅଛନ୍ତି । କିଛି ଖେଳାଳି ଏହାରି ଭିତରେ ଆହତ ହୋଇ ଦଳରୁ ବାଦ୍ ପଡିଥିବାବେଳେ, କିଛି ଖେଳାଳି ଆଇପିଏଲରେ ଏଥର ସାମିଲ ହେବେ କି ନାହିଁ, ତା ଏପର୍ଯ୍ୟନ୍ତ ଜଣାପଡିନି । ହେଲେ ଏହାରି ଭିତରେ ଆଇପିଏଲର ସଫଳ ଦଳ କୁହାଯାଉଥିବା ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ ଝଟକା ।

ଚେନ୍ନାଇ ସୁପର କିଙ୍ଗସର ବିଦେଶୀ ବୋଲର ତଥା ନ୍ୟୁଜିଲାଣ୍ଡର ଖେଳାଳି କାଇଲ୍ ଜେମିସନ୍ ଫିଟନେସ୍ ଜନିତ ସମସ୍ୟା କାରଣରୁ ଆଇପିଏଲରୁ ବାଦ୍ ପଡିଛନ୍ତି । ତେବେ ନ୍ୟୁଜିଲାଣ୍ଡର ଏହି ଷ୍ଟାର ବୋଲର ୨୦୨୨ ମସିହା ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ । ଜେମସିନଙ୍କୁ ଚେନ୍ନାଇ ଏକ କୋଟି ଟଙ୍କା ଦେଇ କିଣିଥିଲା । ହେଲେ ଚଳିତ ବର୍ଷ କିନ୍ତୁ ଜେମିସନଙ୍କୁ ମିସ୍ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

ନ୍ୟୁଜିଲାଣ୍ଡର ଏହି ବୋଲର ନିଜ ପିଠିରେ ସର୍ଜରୀ କରିବେ । ସର୍ଜରୀ କରିବା ପରେ ପାଖାପାଖି ତିନିରୁ ୪ ମାସ ସେ କ୍ରିକେଟଠାରୁ ଦୂରରେ ରହିବେ । ଗତ ବର୍ଷ ଜୁନ୍ ମାସରେ କାଇଲ୍ ଜେମିସନଙ୍କ ପିଠିରେ ଆଘାତ ଲାଗିଥିଲା । ତେବେ କିଛି ଦିନ ଦଳଠୁ ଦୂରେଇ ରହିବା ପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଦଳକୁ ଫେରିବାର ଥିଲା । ହେଲେ ୱାର୍ମଅପ୍ ମ୍ୟାଚ୍ ସମୟରେ ହିଁ ତାଙ୍କ ଯନ୍ତ୍ରଣା ବଢିଥିବାରୁ, ତାଙ୍କର ପିଠିରେ ସର୍ଜରୀ ହେବା ନେଇ ସୂଚନା ମିଳିଛି ।