ବିଶ୍ୱର ଜଳବାୟୁ ପରିବର୍ତ୍ତନ ଯେପରି ଭାବରେ ବୃଦ୍ଧି ହେଉଛି ,ସେଥିପାଇଁ ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟ ହୋଇପାରେ ବୋଲି ଆମେରିକା ବୈଜ୍ଞାନିକଙ୍କ ମତ

77

କନକ ବ୍ୟୁରୋ : ବର୍ତ୍ତମାନ ପରିସ୍ଥିତିରେ ସାରା ବିଶ୍ୱରେ ଜଳବାୟୁରେ ହଠାତ ପରିବର୍ତ୍ତନ ଦେଖାଯାଉଛି । ତେଣୁ ଅନେକ ସମୟରେ ବନ୍ୟା, ଭୂକମ୍ପ ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି । ଯାହାକୁ ନେଇ ଅନେକ ଲୋକ ଅକାରଣରେ ପ୍ରାଣତ୍ୟାଗ କରୁଛନ୍ତି । ତେଣୁ ସରଳରେ କହିବାକୁ ଗଲେ ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱର ସବୁଠାରୁ ବଡ଼ ବିପଦ ଭାବେ ପରିଗଣିତ ହେଉଛି। ବିଭିନ୍ନ ରାଷ୍ଟ୍ର ବିଗତ କିଛି ବର୍ଷ ମଧ୍ୟରେ ସୁନାମୀର ଭୟଙ୍କର ବିପଦକୁ ସାମ୍ନା କରିଛନ୍ତି। ୨୦୦୪ରେ ସୁମାତ୍ରା- ଆଣ୍ଡାମାନ ଘଟଣା କିମ୍ବା ୨୦୧୧ରେ ଉତ୍ତର ଜାପାନରେ ଆସିଥିବା ସୁନାମୀ, ଏହି ପ୍ରାକୃତିକ ବିପର୍ଯ୍ୟୟ ଧନଜୀବନର ଭୀଷଣ କ୍ଷତି ଘଟାଇଛି। ପରିବେଶ ବିଜ୍ଞାନୀଙ୍କ ମତରେ ଏବେ ପରିସ୍ଥିତି ଯାହା ରହିଛି ସେଥିରେ ଯଦି ସମୁଦ୍ର ଜଳସ୍ତର ସାମାନ୍ୟ ବି ବଢ଼ିବ, ତା’ହେଲେ ସୁନାମୀ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ସୃଷ୍ଟି ହେବ ଏଥରେ କୈାଣସି ସନ୍ଦେହ ନାହିଁ ।

ଜଳସ୍ତର ବଢ଼ିବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ସମୁଦ୍ର ଜଳସ୍ତର ବଢ଼ିଲେ ତଟବର୍ତ୍ତୀ ସହରଗୁଡ଼ିକ ପ୍ରତି କିଭଳି ବିପଦ ରହିଛି ତାହା ସମସ୍ତେ ଜାଣନ୍ତି, କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭୂକମ୍ପ ପରେ ଆସୁଥିବା ସୁନାମୀ ଯୋଗୁଁ ତଟବର୍ତ୍ତୀ ସହର ବ୍ୟତୀତ ବହୁ ଦୂରରେ ଥିବା ସହର ଏବଂ ଗ୍ରାମ ପାଇଁ ମଧ୍ୟ ବଡ଼ ବିପଦ ମାଡ଼ିଆସିବ। ୨୦୧୧ରେ ତୋହୋକୁ-ଓକି ଭୂକମ୍ପରେ ଆସିଥିବା ସୁନାମୀ ଯୋଗୁଁ ଉତ୍ତର ଜାପାନର ଏକ ବଡ଼ ଅଂଚଳ ବରବାଦ ହୋଇଯାଇଥିଲା। ଏଥିରେ ଏକ ପରମାଣୁ ପ୍ରତିଷ୍ଠାନ ମଧ୍ୟ ବଡ଼ଧରଣର କ୍ଷତିର ସମ୍ମୁଖୀନ ହୋଇଥିଲା। ରେଡ଼ିଓ ପଦାର୍ଥର ବିକିରଣ ଯୋଗୁଁ ଜଟିଳ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ସରକାରଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ସେତେ ବେଳ ସମୟରେ ଜାପାନର ମିତ୍ର ରାଷ୍ଟ୍ରମାନଙ୍କ ସହ ଅନେକ ରାଷ୍ଟ୍ର ସହେଯାଗର ହାତ ବଢାଇଥିଲେ ।

 

କେବଳ ଜାପାନରେ କ୍ଷତି ହୋଇ ନଥିଲା ତାହାସହ ଅନେକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଥିଲା । ତେଣୁ ସେତେବେଳ ସମୟରେ ସାରା ବିଶ୍ୱରେ ଏକ ବଡ ଲୋମହର୍ଷକାରୀ ଘଟଣା କହିଲେ ଅତୁକ୍ତି ହେବ ନାହିଁ । କେବଳ ଜାପାନରେ ନୁହେଁ ଇଣ୍ଡୋନେସିଆରେ ମଧ୍ୟ ଅନେକ ଥର ଅଗ୍ନି ଉଦଗୀରଣ ସହ ସୁନାମୀ ଆସିବା ଫଳରେ ଶହଶହ ଲୋକ ପ୍ରାଣ ତ୍ୟାଗ କରିଥିଲେ । କେବଳ ବିଦେଶ ନୁହେଁ ଭାରତରେ ମଧ୍ୟ ଅନେକ ଥର ଏପରି ଭାବରେ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଏପରିକି ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା କଥା ହେଉ ଅବା ବର୍ତମାନ ସମୟରେ କେରଳରେ ବନ୍ୟା ପରିସ୍ଥିତି ହେଉ । ଏହି ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପରିବେଶ ସନ୍ତୁଳନ ହରାଇଲେ କେଉଂ ପ୍ରକାର ପ୍ରଭାବ ସିଧାସଳଖ ଭାବରେ ଲୋକମାନଙ୍କ ପାଖରେ ପଡିଥାଏ ।

 

ଆମେରିକାର ଭର୍ଜିନିଆ ଟେକ ଜଣେ ପ୍ରଫେସର ରବର୍ଟ ବେସ୍ କହିଛନ୍ତି ଯେ ସମୁଦ୍ର ଜଳସ୍ତର ବଢ଼ିଲେ ଏବେ ସୁନାମୀ ବିପଦ ମଧ୍ୟ ଅଧିକ ବଢ଼ିଯିବ। ଭବିଷ୍ୟତରେ ଛୋଟ ଓ ମଧ୍ୟମ ରେଜଂରେ ଭୂକମ୍ପ ଯୋଗୁଁ ଆସିବାକୁ ଥିବା ସୁନାମୀ ମଧ୍ୟ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇବ ବୋଲି ସେ ଚେତାଇ ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ସମୁଦ୍ର ଜଳସ୍ତର ୧.୫ ଫୁଟ ବୃଦ୍ଧି ପାଇଲେ ସୁନାମୀ ବିପଦ ୨.୪ ପର୍ଯ୍ୟନ୍ତ ବଢ଼ିଯିବ ଏବଂ ତିନି ଫୁଟ ବୃଦ୍ଧିରେ ଏହା ୪.୭କୁ ବଢ଼ି ଜଳପ୍ରଳୟ ଆଣିବ। ମଧ୍ୟମ ତୀବ୍ରତାର ଭୂକମ୍ପରେ ମଧ୍ୟ ସୁମାମୀ ବିପର୍ଯ୍ୟୟ ଆସିବ ବୋଲି ସିଙ୍ଗାପୁରର ଏକ ଗବେଷଣା ସଂସ୍ଥା କହିଛି। ଦକ୍ଷିଣ ଚୀନ୍ ସାଗରରେ ଏଭଳି ବିପଦ ଅଧିକ ରହିଛି।