ଭାରତର ଶକ୍ତିଶାଳୀ ବ୍ରହ୍ମାସ୍ତ୍ର ! ଚୀନ ଓ ପାକିସ୍ତାନକୁ ଆଉ ମିଳିବନି ତ୍ରାହି, ସୁଖୋଇ ବିମାନରୁ ହେଲା ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ର ପରୀକ୍ଷଣ

41

କନକ ବ୍ୟୁରୋ : ଚୀନ ଓ ପାକିସ୍ତାନକୁ ବଡ ଝଟକା । ଆଉ ତ୍ରାହି ପାଇବେନି ସୀମାନ୍ତ ଶତ୍ରୁ । କିଛି କ୍ଷଣ ମଧ୍ୟରେ ଶତ୍ରୁପକ୍ଷର କ୍ୟାମ୍ପକୁ ଧ୍ୱଂସ କରିପାରିବ ଭାରତ । ଏଭଳି ଅସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ସଫଳ ହୋଇଛି ବ୍ରହ୍ମୋସ୍ ମିସାଇଲର ପରୀକ୍ଷଣ । ପୋଖରାନ ରେଂଜରେ ଆଜି ଏକ ସୁଖୋଇ ବିମାନରୁ ଏହାର ପରୀକ୍ଷଣ ହୋଇଥିଲା । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତ ନଭେମ୍ବରରେ ମଧ୍ୟ ସୁଖୋଇ ବିମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଥିଲା ।

ବିଶ୍ୱ ପୁଣିଥରେ ଦେଖିଲା ଭାରତର ଦମ୍ । ସ୍ଥାନ – ରାଜସ୍ଥାନର ପୋଖରାନ୍ ରେଂଜ୍ । ସମୟ – ସକାଳ ୮ଟା ୪୨ ମିନିଟ୍ । ବାୟୁସେନାର ସୁଖୋଇ ୩୦ ବିମାନରୁ ତଳକୁ ଖସୁଥିଲା ବିଶ୍ୱର ସବୁଠୁ କ୍ଷୀପ୍ରତମ ସୁପର୍ ସୋନିକ୍ ମିସାଇଲ୍ ବ୍ରହ୍ମୋସ୍ । ଅତି ଉଚ୍ଚରୁ ତଳକୁ ଖସିବା ପରେ ନିର୍ଦ୍ଧାରିତ ସ୍ଥାନରୁ ବେଗ ବଢ଼ିଥିଲା ବ୍ରହ୍ମୋସ୍ ମିସାଇଲର । ଶବ୍ଦର ବେଗଠୁ ତିନି ଗୁଣା ୨.୮ ମ୍ୟାକ୍ ବେଗରେ ଲକ୍ଷ୍ୟସ୍ଥଳକୁ ଆଡ଼କୁ ମାଡ଼ିଚାଲିଥିଲା ବ୍ରହ୍ମୋସ୍ । ଢେର୍ କିଛି ସମୟ ଆକାଶରେ ରହିବାପରେ ଲକ୍ଷ୍ୟସ୍ଥଳ ଭେଦ କରିଥିଲା ଭାରତର ବ୍ରହ୍ମାସ୍ତ୍ର । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍ ସହ କରିଥିଲେ ଉଚ୍ଚପ୍ରଶଂସା । ଆଉ ଭାରତ ତାର ନୂଆ ବହ୍ମାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା ।

ଭାରତର ବ୍ରହ୍ମୋସ୍ ମିସାଇଲର ଅନେକ ସ୍ୱତନ୍ତ୍ରତା ରହିଛି । ଶତ୍ରୁ ରାଡାରରେ ଧରା ପଡୁନଥିବା ବ୍ରହ୍ମୋସ୍ ଘଂଟାକୁ ୩୭୦୦ କିଲୋମିଟର୍ ବେଗରେ ଗତି କରିଥାଏ । ଏହା ୩୦୦ କିଲୋଗ୍ରାମ୍ ଯୁଦ୍ଧାସ୍ତ୍ର ବହନ କରିପାରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲକ୍ଷ୍ୟସ୍ଥଳର ଠିକଣା ବଦଳିଲେ ବ୍ରହ୍ମୋସ୍ ନିଜ ଦିଗ ବଦଳାଇଥାଏ । ଅନ୍ୟ ପାରମ୍ପରିକ କ୍ଷେପଣାସ୍ତ୍ରଠାରୁ ଅଲଗା ଏହି ମିସାଇଲ୍ ପବନକୁ ଟାଣି ଶକ୍ତି ସଂଗ୍ରହ କରିଥାଏ । ଚୀନ ଏହି ମିସାଇଲକୁ ସବୁବେଳେ ଆଂଚଳିକ ଅସ୍ତିରତା ବୃଦ୍ଧି କରୁଥିବା ଯୁଦ୍ଧାସ୍ତ୍ର କହିଆସିଛି । ଅନ୍ୟପଟେ ଚୀନ ଓ ପାକିସ୍ତାନ ନିକଟରେ ଏହାର ସମକକ୍ଷ ମିସାଇଲ ନଥିବା କୁହା ଯାଉଛି । ଏଥିସହ ଭାରତୀୟ ସେନାର ଶକ୍ତିବୃଦ୍ଧି ହେବା ପୁଣି ସୁନିଶ୍ଚିତ ହୋଇଛି ।