ବାପ ଛେଉଣ୍ଡ ଦୁଇ ଝିଅଙ୍କୁ ଛାଡ଼ି ଚାଲିଗଲା ମା’.. ଦିବ୍ୟାଙ୍ଗ ଭଉଣୀକୁ ନେଇ ଦୁର୍ଦ୍ଦଶାରେ ବିତୁଛି ଜୀବନ ।

214

କନକ ବ୍ୟୁରୋ: ଦରଦରା ଘର, ମାଟି କାନ୍ଥ ଉପରେ ଆଶାର ଆଜବେଷ୍ଟ । ଆଉ ତା’ ସାଙ୍ଗକୁ ଭାଗ୍ୟ ଭଳି ଫୁଙ୍ଗୁଳା ପଡ଼ିଛି ଦୁଆର ବନ୍ଧ । ସେହି ଦୁଆର ବନ୍ଧରେ ଝୁଲୁଥିବା ଛିଣ୍ଡା ମସିଣା ପରି ଜୀବନର ଦୋ-ଛକିରେ ଝୁଲୁଛି ଏହି ଦୁଇ ଭଉଣୀଙ୍କ ଜୀବନ । ସଂଘର୍ଷର ଶେଷ ସୀମା କାହାକୁ କୁହାଯାଏ ଥରେ ଏହି ଘର ଭିତରୁ ଆଖି ବୁଲାଇ ଆଣିଲେ ବେଶ୍ ଭଲ ଭାବେ ବୁଝିଯିବେ ଆପଣ । ବାପ ଛେଉଣ୍ଡ ଦୁଇ ଝିଅଙ୍କୁ ମାଆ ଛାଡ଼ି ଚାଲିଗଲା ପରେ ଏବେ ନିରାଶ୍ରୟ, ଅସହାୟ, ଗରିବୀ, ଭୋକ, ଦୁର୍ଦ୍ଦଶା ଓ ବେସାହାରାର ବିକଳ ଶବ୍ଦ ଏହି ଘର ଚାରିକାନ୍ଥରୁ ଶୁଣାଯାଉଛି ।

କନ୍ଧମାଳ ଫିରିଙ୍ଗିଆ ପଞ୍ଚାୟତର ତଳମାଲା ଗାଁରେ ରହୁଛନ୍ତି ଏହି ଦୁଇ ଭଉଣୀ କାଞ୍ଚନ ଓ ରଚନା । ଦୁହିଁ ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀ କାଞ୍ଚନ ପିଲାଦିନୁ ଭିନ୍ନକ୍ଷମ । ୪ ବର୍ଷ ତଳେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ବର୍ଷେ ତଳୁ ବାପ ଛେଉଣ୍ଡ ଦୁଇ ଝିଅଙ୍କୁ ଛାଡ଼ିଦେଇ କୁଆଡ଼େ ଚାଲିଗଲା ଜନ୍ମକଲା ମାଆ । ସେବେଠୁ କେଇ ହଳ କପଡ଼ା, ଗୋଟେ ବାଲ୍ଟି ଆଉ ଦୁଇ ଖଣ୍ଡ ବାସନ ହିଁ ଏମାନଙ୍କ ସଂଘର୍ଷ ଭିତରର କିଛି ସମ୍ବଳ ସାଜିଛି ।

ସେପଟେ ସ୍ୱାର୍ଥପର ଦୁନିଆରେ ଗାଁ ଲୋକଙ୍କ ଦୟାଳୁପଣ ଏମାନଙ୍କ ମୁହଁରେ ଦାନା ଗଣ୍ଡେ, ଆଉ ପିନ୍ଧିବା ପାଇଁ କନା ଖଣ୍ଡେ ଖଣ୍ଡେ ଯୋଗାଉଛନ୍ତି । ହେଲେ ଏମାନଙ୍କ ଦୁଃଖ ଦୁର୍ଦ୍ଦଶାର ଦଦରା କାନ୍ଥରେ ସରକାର ଚାହିଁଲେ ଖୁସିର ରଙ୍ଗ ବୋଳିଦେଇପାରିବେ । ସେଥିପାଇଁ ଏହି ଦୁଇ ଅନାଥ ଭଉଣୀଙ୍କୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।
ସବୁଠାରୁ ହୃଦୟବିଦାରକ କଥା ହେଲା, ରଚନା ନବମ ଶ୍ରେଣୀରେ ପଢୁଥିଲେ ବି ଦିବ୍ୟାଙ୍ଗ ସାନ ଭଉଣୀରୁ ଦେଖାରେଖା କରୁଥିବାରୁ ତା’ ପାଠପଢ଼ା ହାତରେ ଡ଼ୋରୀ ପଡ଼ିଛି । ନା ଭଉଣୀକୁ ଛାଡ଼ି ସ୍କୁଲ ଯାଇପାରୁଛି ନା ଯନ୍ତ୍ରଣାର ଜୀବନ ଭିତରୁ ସେ ଭବିଷ୍ୟତ ଗଢ଼ିପାରୁଛି । ସମୟ ଟିକେ ମିଳିଲେ ମାଟିପିଣ୍ଡାରେ ବସି କଷ୍ଟର କରୁଣ କାହାଣୀକୁ ଖାତାକୁ ଉତାରି ଦେଉଛି ବଡ଼ ଭଉଣୀ ରଚନା । ପାଠପଢ଼ିବାକୁ ତା’ର ବି ଆଶା ଅଛି କିନ୍ତୁ ସିଏବି କଣ କରିବ? ଏଠି ପାଠ ପାଇଁ ବି ପଇସା ପଡେ, ଖାତାକଲମ ପାଇଁ ଟଙ୍କା ଦେବ କିଏ? ବାପା-ମାଆ ଗଲାପରେ ଏମାନଙ୍କୁ ଭବିଷ୍ୟତ ଏବେ ଅନ୍ଧାରୀମୂଲକରେ ଆଖିବୁଜିବାକୁ ବସିଲାଣି ।

ଜୀବନ କ’ଣ ଭଲ କରି ବୁଝିନଥିବା ଦୁଇ ଝିଅଙ୍କ ମୁଣ୍ଡ ଉପରୁ ଯେବେ ବାପାର ହାତ, ମାଆର ପଣତ ନରୁହେ ସେମାନେ କେମିତି ବଞ୍ଚିବେ? ଅନାଥ, ନିରାଶ୍ରୟ ଓ ଭିନ୍ନକ୍ଷମଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଆଉ ସେହି ଯୋଜନା ଗୁଡ଼ିକର ହକଦାର ହେଉଛନ୍ତି ଏହି ଦୁଇ ଭଉଣୀ । ତେବେ ଏନେଇ ଆମ ପ୍ରତିନିଧି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଯାହାଫଳରେ ସେମାନଙ୍କ ଭଲମନ୍ଦ ପ୍ରଶାସନ ବୁଝିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ କଥା ଦେଇଛନ୍ତି ।