ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତ ଓ ଇଂଲଣ୍ଡ ଟିମ ଉପରେ ଜରିମାନା ଲଗାଇଲା ଆଇସିସି । ଜାଣନ୍ତୁ, ପ୍ରଥମ ଟେଷ୍ଟରେ କରିଥିଲେ କେଉଁ ଭୁଲ…

1,142

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଇଛି । ଏହାପୂର୍ବରୁ କିନ୍ତୁ ଦୁଇ ଦଳକୁ ଲାଗିଛି ଜୋରଦାର ଝଟକା । ପ୍ରଥମ ଟେଷ୍ଟରେ ସ୍ଲୋ-ବୋଲିଂ କରିଥିବା ହେତୁ ଦୁଇ ଦଳର ଖେଳାଳିଙ୍କ ୪୦ ପ୍ରତିଶତ ମ୍ୟାଚ୍ ଫି କାଟି ଦିଆଯାଇଛି । ଖାଲି ସେତିକି ନୁହେଁ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ରୁ ମଧ୍ୟ ଦୁଇଟି ଟିମ ଦୁଇ ଦୁଇ ପଏଣ୍ଟ କାଟି ଦିଆଯାଇଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଡ୍ର ରେ ଶେଷ ହୋଇଥିଲା । ବର୍ଷା ପ୍ରଭାବିତ ଏହି ମ୍ୟାଚ୍ ଡ୍ର ହେବା ହେତୁ ଦୁଇ ଦଳ ପଏଣ୍ଟ ଭାଗ ଭାଗ କରିଥିଲେ । ହେଲେ ଏହି ମ୍ୟାଚରେ ଧାର୍ଯ୍ୟ ସମୟ ମଧ୍ୟରେ ଦୁଇ ଦଳର ଅଧିନାୟକ ୨-୨ ଓଭର କମ ବୋଲିଂ କରିଥିଲେ । ଯେଉଁ କାରଣରୁ ଆଇସିସି ଦୁଇ ଦଳର ମ୍ୟାଚ୍ ଫି୍ କାଟି ଦେଇଛି ।

ଏହାସହିତ ଏହି ମ୍ୟାଚ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଅଂଶ ହୋଇଥିବାରୁ ଦୁଇ ଦଳ ମ୍ୟାଚ୍ ଡ୍ରେ ହେବା ପରେ ୪-୪ ପଏଣ୍ଟ ହାସଲ କରିବା କଥା । ହେଲେ ନିୟମ ଉଲ୍ଲଘଂନ ହୋଇଥିବା ହେତୁ ଦଳର ଦୁଇ ପଏଣ୍ଟ ଲେଖାଏ କାଟି ଦିଆଯାଇଛି । ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଦୁଇ ଦଳ କେବଳ ୨-୨ ପଏଣ୍ଟ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଭାରତୀୟ ଟେଷ୍ଟ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଯେଉଁଠି ରୁଟ୍ ବାହିନୀକୁ ଟକ୍କର ଦେଉଛି ବିରାଟ ବାହିନୀ । ତେବେ ସଂଘର୍ଷପୂର୍ଣ୍ଣ ପ୍ରଥମ ଟେଷ୍ଟ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି ଏବଂ ଅଗଷ୍ଟ ୧୨ ତାରିଖରୁ ଲଡର୍ସ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି ।