ବାରବାଟୀର ବାଦଶାହା ବନିଲା ବିରାଟ ବାହିନୀ । ରୋମାଞ୍ଚକର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ମାତ୍ ଦେଇ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ ।

2,068

କନକ ବ୍ୟୁରୋ : ଟାଇଟଲ୍ ଟକ୍କରରେ ବାଜି ମାରିନେଲା ବିରାଟ ବାହିନୀ । କଟକରେ କମାଲ କଲେ କୋହଲି ଆଣ୍ଡ କୋ । ଫାଇନାଲ ଫାଇଟରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ମାତ ଦେଇ ଦିନିକିଆ ସିରିଜ କବଜା କଲା ବିରାଟ ବାହିନୀ । ରୋହିତ, ରାହୁଲ ଏବଂ ଅଧିନାୟକ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।

ଆଜି କଟକ ବାରବାଟୀରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ପରେ ପରେ ବାରବାଟୀରେ ହୋଇଥିଲା ଛକା ଚୌକାର ବର୍ଷା । ନିକୋଲାସ ପୂରନ ଏବଂ ଅଧିନାୟକ କିରଣ ପୋଲାର୍ଡଙ୍କ ରୋମାଞ୍ଚକର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ୱେଷ୍ଟଇଣ୍ଡିଜ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଇଭିନ୍ ଲୁଇସ୍ ୨୧, ଶାଇ ହୋପ୍ ୪୨, ରୋଷ୍ଟନ ଚେଜ୍ ୩୮, ନିକୋଲାସ ପୂରନ ୮୯, ଶିମରନ୍ ହେଟମେୟର ୩୭ ଏବଂ ଅଧିନାୟକ କିରଣ ପୋଲାର୍ଡ ୭୪ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ନବଦୀପ ସଇନି ୨ଟି ଓି୍ୱକେଟ୍ ନେଇଥିବା ବେଳେ ସାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ତେବେ ୩୧୬ ରନର ବଡ ବିଜୟଲକ୍ଷ୍ୟକୁ ପିଛା କରି ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଧୈର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ । ରୋହିତ ଶର୍ମା (୬୩), ଲୋକେଶ ରାହୁଲ (୭୭) ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ପରେ ଋଷଭ ପନ୍ଥ, କେଦାର ଯାଦବ ଏବଂ ଶ୍ରେୟସ ଆୟର ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଥିଲେ । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ ରବିନ୍ଦ୍ର ଜାଡେଜା ।

ଅଧିନାୟକ ବିରାଟ କୋହଲିଙ୍କ ଦମଦାର (୮୫) ରନ୍, ଜାଡେଜାଙ୍କ (୩୯) ରନ୍ ଏବଂ ଶେଷରେ ସାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ୧୦ଟି ବଲ ବାକି ଥାଇ ୪ ୱିକେଟରେ ବାଜି ମାରିନେଲା ଟିମ୍ ଇଣ୍ଡିଆ ।