୬ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର। ଶ୍ରୀମନ୍ଦିରର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ହଟିବ ଜବରଦଖଲ

ଓଡ଼ିଶା ସାମୁଦ୍ରିକ ପରିଷଦ ଗଠନ ପାଇଁ ମିଳିଲା ମଂଜୁରୀ

774

କନକ ବ୍ୟୁରୋ: ପୁରୀରେ ଭକ୍ତ ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିପଟେ ଥିବା ନିର୍ମାଣ, ଦୋକାନ ଗୃହ ଓ କୋଠାଗୁଡ଼ିକୁ ଉଚ୍ଛେଦ କରାଯିବ। ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବି.ପି ଦାସ କମିସନ କରିଥିବା ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପୁନର୍ବାସ ଓ ଥଇଥାନ ଯୋଜନାରେ କ୍ଷତିପୂରଣ ପ୍ରଦାନ କରାଯାଇ ଏହି ଉଚ୍ଛେଦ କରାଯିବ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରାଯାଇଛି। ଏଥିସହ ରୁଗୁଣ ହୋଇ ପଡ଼ିଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପୁନରୁଦ୍ଧାର ଓ ଆର୍ଥିକ ପୁନର୍ବିନ୍ୟାସ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ନିଗମର ୧୭୦ କୋଟି ଟଙ୍କାର କ୍ଷତିକୁ ପର୍ଯ୍ୟାୟକ୍ରମେ ଅଂଶଧନରେ ରୂପାନ୍ତରିତ କରାଯିବ। ଏହାବ୍ୟତିତ ଓଡ଼ିଶାରେ ଥିବା ଘରୋଇ ବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ମାରିଟାଇମ୍ ବୋର୍ଡ଼ ଗଠନ ଓ ଆଠଗଡ଼ରେ ଥିବା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଦାନ ଜମି ରେଜିଷ୍ଟ୍ରେସନ ପାଇଁ ସରକାର ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ କରାଯିବା ସହ ମୋଟ ୬ଟି ପ୍ରସ୍ତାବ ପାରିତ ହୋଇଛି।

ଶୁକ୍ରବାର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉନ୍ନୟନ କମିସନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ, ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବି.ପି ଦାସ କମିସନ ୨୦୧୭ ଏପ୍ରିଲରେ ରାଜ୍ୟ ସରକାରଙ୍କୁ ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ସେଥିରେ ଶ୍ରୀମନ୍ଦିର ସୁରକ୍ଷା ସମେତ ଭକ୍ତ ଓ ତୀର୍ଥ ଯାତ୍ରୀମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ସ୍ଥାନ ଖାଲି କରିବାକୁ ସୁପାରିସ କରିଥିଲେ। କମିସନଙ୍କ ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏହି ଉଚ୍ଛେଦ ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ। କ୍ଷତିପୂରଣ ବାବଦରେ ଆକଳନ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଗଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ଏ ନେଇ ପଦକ୍ଷେପ ନେବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପାଖରେ ଥିବା ଜୋତା ଦୋକାନକୁ ଉଚ୍ଛେଦ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ୍ ଓଏସଏପି ବାଟାଲିୟନ, ଆଇଆରବି ବାଟାଲିୟନ୍ ଓ କ୍ୟୁଏଟି ଟିମ୍ ମୁତୟନ ନେଇ ସରକାର ବିଚାର କରୁଛନ୍ତି। ଏହାସହିତ ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ କରାଯିବା ସହ ଵାଚ୍ ଟାଵାର ପ୍ରତିଷ୍ଠା କରିବା ପାଇଁ କମିସନ ସୁପାରିସ କରିଥିବା ଶ୍ରୀ ତ୍ରିପାଠୀ କହିଥିଲେ। ଭକ୍ତଙ୍କ ସୁବିଧା ପାଇଁ ରାସ୍ତା ଚଉଡ଼ା କରାଯିବା ସହ ଆଧୁନିକ ପାର୍କିଂ ବ୍ୟବସ୍ଥା କରିବାକୁ ସରକାର ପଦକ୍ଷେପ ନେବେ। ଏଥିପାଇଁ ଆର୍ଥିକ ଖର୍ଚ୍ଚ ସରକାର ବହନ କରିବେ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ ଆର୍ଥିକ ଦେବାଳିଆ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ଆର୍ଥିକ ପୁନର୍ବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ, ୧୯୭୪ ମସିହାରେ ଗଠିତ ଓଏସଆରଟିସିର ବିଭିନ୍ନ କାରଣରୁ କ୍ଷତି ହୋଇଥିବାରୁ ନୂଆ ବସ୍ କିଣିବା ଓ ବସଷ୍ଟାଣ୍ଡର ଉନ୍ନତିକରଣ ହେଉନାହିଁ। ଏଥିପାଇଁ ବହୁ ପୁରୁଣା ଦେୟକୁ ଛାଡ଼ କରାଯାଇଛି। ନିଗମ ଉପରେ ଥିବା ରାଜ୍ୟ ସରକାରଙ୍କ ୭୨ କୋଟି ଟଙ୍କା ପୁରୁଣା ବକେୟାକୁ ଇକ୍ୟୁଟି ଅଂଶଧନରେ ରୂପାନ୍ତରିତ କରାଯାଇଛି। ନିଗମର ଅଂଶଧନ ପୁଞ୍ଜିକୁ ୧୮୨ କୋଟିରୁ ୨୫୪ କୋଟିକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ନିଗମର ରାଜ୍ୟ ସରକାରଙ୍କ ଉପରେ ଥିବା ୭୭ କୋଟି ୪୪ ଲକ୍ଷ ଟଙ୍କାକୁ ଛାଡ଼ କରାଯାଇଛି। ନିଗମର ଆର୍ଥିକ ପୁନର୍ବିନ୍ୟାସ ଫଳରେ କ୍ଷତି ଭରଣା ହୋଇପାରିବ। ନିଗମ ତାର ଇଚ୍ଛାମୁତାବକ ଆର୍ଥିକ ଅନୁଷ୍ଠାନମାନଙ୍କ ନିକଟରୁ ସହାୟତା ପାଇ ବ୍ୟବସାୟିକ ଦୃଷ୍ଟିକୋଣରୁ ଯାତ୍ରୀ ସେବା ଯୋଗାଇବାରେ ସକ୍ଷମ ହେବ।

ଏଥିସହ ନୂଆକରି ଓଡ଼ିଶା ମେରିଟାଇମ୍ ବୋର୍ଡ଼ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଏକ ଚିଠା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟରେ ଥିବା ଘରୋଇ ବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ସରକାର ଉଦ୍ୟମ କରିବେ। ଏଥିପାଇଁ ଘରୋଇ ବନ୍ଦରରୁ ଆଦାୟ ହେଉଥିବା ରାଜସ୍ବ ଏଣିକି ବୋର୍ଡ଼ ପାଖରେ ରହିବ। ଏହି ବୋର୍ଡ଼ର ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ରହିବେ ଏବଂ ୧୨ ଜଣ ଅଧିକାରୀ ସଦସ୍ୟ ରହିବେ। ଏଥିସହ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ନେଇ ବୋର୍ଡ଼ ଗଠନ କରାଯିବ। ଏହି ବୋର୍ଡ ସିଙ୍ଗଲ ଵିଣ୍ଡୋ ଭଳି କାର୍ଯ୍ୟ କରିବ। ଏ ସଂକ୍ରାନ୍ତ ଚିଠା ପ୍ରସ୍ତାବକୁ ଆଗାମୀ ବିଧାନସଭା ଅଧିବେସନରେ ପାରିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ। ଏପରି ବୋର୍ଡ ଦେଶର ୯ଟି ରାଜ୍ୟରେ ରହିଛି।

ଆଠଗଡ଼ରେ ଥିବା ଗୋପବନ୍ଧୁ ବିଜ୍ଞାନ ସରକାରୀ ମହାବିଦ୍ୟାଳୟ ଜମି ରେଜିଷ୍ଟ୍ରେସନ ପାଇଁ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ଼ି କରିବେ। ଏହି ମହାବିଦ୍ୟାଳୟ ୧୯୬୩ ମସିହାରୁ ପ୍ରତିଷ୍ଠା ହୋଇଥିଲେ ବି ଆଠଗଡ଼ ରାଜପରିବାରରୁ ଦାନ ସୁତ୍ରରେ ମିଳିଥିବା ୧୧.୫୬ ଏକର ଜମି ଏଯାଏଁ ଦାନ ଜମି ଭାବେ ହୋଇନାହିଁ। ଫଳରେ ୟୁଜିସି ସର୍ତ୍ତାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟ ଅନୁଦାନ ଗ୍ରାଣ୍ଟ ମଧ୍ୟ ମିଳୁନାହିଁ। ୨୫ କୋଟି ଟଙ୍କାର ଏହି ଜମିକୁ ସରକାରଙ୍କ ନାମରେ କରିବା ପାଇଁ ୧ କୋଟି ୭୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟିକୁ ସରକାର ଛାଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୃହ ବିଭାଗର ପ୍ରସ୍ତାବ ଅନୁଯାୟୀ, ଏଣିକି ଓଡ଼ିଶା ପୁଲିସ ସେବାରେ ନିୟୋଜିତ ସବ-ଇନ୍ସପେକ୍ଟରମାନଙ୍କୁ ସୁପରଟାଇମ୍ ସ୍କେଲରେ ନିଯୁକ୍ତି ପାଇବା ପାଇଁ ଥିବା ୧୮ବର୍ଷର ଅଭିଜ୍ଞତାକୁ ସରକାର ଉଠାଇଦେଇଛନ୍ତି। ଏହାସହିତ ବିଧାନସଭା ବଜେଟ ଅଧିବେଶନର ସତ୍ରାବସାନକୁ କ୍ୟାବିନେଟ ଅନୁମୋଦନ କରିଛି।