ବିଜେପି ଉପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ । ମୋଦୀଙ୍କୁ ନେଇ କହିଲେ ଏଭଳି କଥା

440

କନକ ବ୍ୟୁରୋ : ଆସନ୍ତା ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଏବେ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଜନତା ଦଳ (ଏସ) ର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି କର୍ଣ୍ଣାଟକରେ ‘ଯୋଗୀ ମଡେଲ’ କିଛି କାମ କରିବ ନାହିଁ । କର୍ଣ୍ଣାଟକ ପାଇଁ ବିଜେପି କୌଣସି ବିପଦ ଠାରୁ କମ୍ ନୁହେଁ ବୋଲି କୁମାର ସ୍ୱାମୀ କହିଛନ୍ତି ।

କୁମାର ସ୍ୱାମୀ ଗୋଟିଏ ପରେ ଗୋଟିଏ ଏଭଳି ୭ ଟି ଟ୍ୱିଟ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ‘ଏହା କର୍ଣ୍ଣାଟକ, ଏଠିକି ହଜାରେ ମୋଦୀ ଆସିଲେ ବି କିଛି ପରିବର୍ତ୍ତନ ହେବ ନାହିଁ ’ । ଅନ୍ୟ ଏକ ଟ୍ୱିଟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେଇଙ୍କ ଦ୍ୱାହୀ ଦେଇ କହିଛନ୍ତି କି ଏବେ ରାଜ୍ୟରେ ବୋମାଇ ସରକାର ‘ସର୍ବେ ଭବନ୍ତୁ ସୁଖୀନଃ’ ଆଧାରରେ କାମ କରୁ ନାହାଁନ୍ତି । ଅନ୍ୟପଟେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଉତ୍ତର ପ୍ରଦେଶର ବୋଲଡୋଜର ସଂସ୍କୃତି ଉପରେ ମତ ଦେଇ କୁମାର ସ୍ୱାମୀ କହିଛନ୍ତି କି ଯଦି କର୍ଣ୍ଣାଟକରେ ବୋମାଇ ସରକାର ବୋଲଡୋଜର ସଂସ୍କୃତି ଆପଣାନ୍ତି ତେବେ ରାଜ୍ୟର ଲୋକମାନେ ବିଜେପିକୁ ସମୁଦ୍ରରେ ବିସର୍ଜନ କରିଦେବେ ।

କହିରଖୁ କି ଗୁରୁବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସଂପ୍ରଦାୟୀକ ହିଂସାକୁ ଆୟତ କରିବାକୁ ଯଦି ଆବଶ୍ୟକ ପଡେ ତେବେ କର୍ଣ୍ଣାଟକରେ ଯୋଗୀ ଆଦିତ୍ୟନାଥ ମଡେଲ ଆପଣାଇବାକୁ ପଡିବ ବୋଲି କହିଥିଲେ । ଏହାକୁ ନେଇ ଏଭଳି ପ୍ରତିଉତ୍ତର ରଖିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାର ସ୍ୱାମୀ । କହିରଖୁ କି କର୍ଣ୍ଣାଟକରେ ଜଣେ ବିଜେପି ଯୁବମୋର୍ଚ୍ଚାର ନେତାଙ୍କୁ କିଛି ଦୁବୃର୍ତ୍ତ ଅପହରଣ କରି ହତ୍ୟା କରିବା ଘଟଣାରେ ଏବେ କର୍ଣ୍ଣାଟକରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।