ବେଳାଭୂମିରେ ମରିପଡିଛି ଶହଶହ ଅଲିଭରିଡଲେ କଇଁଛ। ସୁରକ୍ଷା ନେଇ କଟକଣା ପରେ ବି ଚାଲୁଛି ଟ୍ରଲର, ମାଛ ମାରୁଛନ୍ତି ମତ୍ସ୍ୟଜୀବୀ।

98

କନକ ବ୍ୟୁରୋ: ବେଳାଭୂମିରେ ମରିପଡିଛି ଶହଶହ ଅଲିଭରିଡଲେ କଇଁଛ । ପ୍ରତିଥର କଇଁଛ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ଏବେ ଅଧିକ କଇଁଛ ମରିପଡୁଛନ୍ତି । ଚଳିତ ଋତୁ କଇଁଛମାନଙ୍କ ଅଣ୍ଡା ଦେବା ସମୟ ଏନେଇ ଅନେକ କଟକଣା ସବୁ କରାଯାଇଥିଲା । ଟ୍ରଲର ଚଳାଚଳରୁ ନେଇ ମତ୍ସ୍ର୍ୟଜୀବୀମାନଙ୍କ ଉପରେ ଲଗାଯାଇଥିଲା ରୋକ୍ । ହେଲେ ଚିଲିକା ନୂଆପଡାର ଖିରି ସାହି ନିକଟ ସମୁଦ୍ର କୂଳରେ ଅନେକ ମୃତ କଇଁଛ ଦେଖିବାକୁ ମିଳିଛି । ନଭେମ୍ବର ମାସରୁ ମଇ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୫କିଲୋମିଟର ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି । ଏତେ କଟକଣା ପରେ ବି ଆନ୍ଧ୍ର ଟ୍ରଲର ଚଳାଚଳ ବନ୍ଦ ହୋଇପାରିନି । ସେହିଭଳି ଅନେକ କଟକଣା ପରେ ବି ମତ୍ସ୍ୟଜୀବୀ ମାନେ ନିତିଦିନ ମାଛ ମାରିବାରେ ଲାଗିଛନ୍ତି ।

କେତେବେଳେ ଟ୍ରଲର ମାଡରେ ତ ଆଉ କେତେବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ପଡି କଇଁଛ ମରିପଡୁଛନ୍ତି । ଅଣ୍ଡା ଦେବାକୁ ଆସୁଥିବା ଶହଶହ କଇଁଛଙ୍କ ମୃତଦେହ ବେଳାଭୂମିରେ ଦେଖିବାକୁ ମିଳିଛି । ସେପଟେ ମୃତ କଇଁଛ ସବୁ ନମ୍ବର କରାଯାଇ ପୋତିବା ନିୟମ ରହିଥିଲେ ବି ତାହା କରାଯାଉନି । ଯାହାଫଳରେ ସମୁଦ୍ର କୂଳରେ ମାଳମାଳ କଇଁଛଙ୍କ ମୃତଦେହ ପଡି ରହି ଦୂଷିତ ପରିବେଶ ସୃଷ୍ଟି କରୁଛି । ପ୍ରତିଦିନ ଏହିଭଳି ଶହଶହ କଇଁଛଙ୍କ ମୃତ୍ୟୁ ହୋଇଚାଲିଥିବା ବେଳେ ଏବେ ସେମାନଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ?