ମନ୍ତ୍ରୀଙ୍କୁ ସୌମ୍ୟଙ୍କ ପ୍ରଶ୍ନ : କେତେ ପରିବାର ପକ୍କାଘରେ, କେତେ ପରିବାର କଚ୍ଚା ଘରେ ରହୁଛନ୍ତି ?

106

କନକ ବ୍ୟୁରୋ : ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ ବାସଗୃହ ଯୋଗାଣ ଲାଗି ବିଭିନ୍ନ ସରକାରୀ ଯୋଜନାରେ ଗତ ୨୨ ବର୍ଷରେ କେତେ ପରିବାରଙ୍କୁ ପକ୍କାଘର ଦିଆଯାଇଛି ଓ ନିକଟରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପରେ ଅବଶିଷ୍ଟ କେତେ ପରିବାର କଚ୍ଚା ଘରେ ରହୁଥିବେ ? କେବେ ସୁଦ୍ଧା ରାଜ୍ୟର ସବୁ ପରିବାରକୁ ପକ୍କା ଘର ଉପଲବ୍ଧ କରାଯିବ ?

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗତ ୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଏଭଳି ସୂଚନା ‌ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ପରେ ମଧ୍ୟ ୨୦୧୯ ମାର୍ଚ୍ଚ ୭ ତାରିଖ ପୂର୍ବରୁ ଚିହ୍ନଟ ୧ ଲକ୍ଷ ୩୦ ହଜାର, ୮୭୩ ପରିବାର ଆବାସ ପ୍ଲସ ତାଲିକାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।

୨୦୨୨ରେ ପକ୍କା ଘର ପାଇବା ପାଇଁ ଯୋଗ୍ୟ ପିଭିଟିଜି ପରିବାର ଓ ସ୍ବାଭିମାନ ଅଞ୍ଚଳରେ ବସବାସ କରୁଥିବା ଯୋଗ୍ୟ ଲୋକଙ୍କ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୨୬,୭୭୫ଟି ପିଭିଟିଜି ପରିବାର ଓ ସ୍ବାଭିମାନ ଅଞ୍ଚଳର ୧୮,୧୬୦ଟି ପରିବାର ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ଲାଗି ଗତ ଜାନୁଆରି ୧୮ ତାରିଖରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହାର ଅନୁମୋଦନ ପରେ କଚ୍ଚା ଘରେ ରହୁଥିବା ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ପର୍ଯ୍ୟାୟକ୍ରମେ ଯୋଗ୍ୟ ପରିବାରଙ୍କୁ ଗୃହ ଯୋଗାଇ ଦିଆଯିବ ।