ଉତରପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୯ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସଂଭାବନା

2,646

କନକ ବ୍ୟୁରୋ : ଉତରପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ନଅଟି ଜିଲ୍ଲାରେ ପ୍ରବଳ ବର୍ଷିବ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ରାଜ୍ୟର କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଢେଙ୍କାନାଳ, କଟକ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ । ତେବେ ଅଗଷ୍ଟ ୩୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୩୦ ଓ ୩୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି , କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ।

ଆସନ୍ତା ସେପ୍ଟେମ୍ୱର ୨ ତାରିଖ ଆଡକୁ ଦାନା ବାନ୍ଧିପାରେ ଆଉ ଏକ ଲଘୁଚାପ । ତେଣୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢିବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଉତରପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଂଚଳରେ ଲଘୁଚାପର ପ୍ରଭାବ ରହିବା କାରଣରୁ ଦକ୍ଷିଣ ଓଡିଶା ଓ ଉତର ଉପକୂଳ ଆନ୍ଧ୍ର ପ୍ରଦେଶରେ ବର୍ଷା ଅଧିକ ହେବ ବୋଲି କୁହାଯାଇଛି ।